ଶେଷରେ ପରାଜୟକୁ ସ୍ୱୀକାର କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ ଫଳା ଫଳରେ ନାହିଁ ଖୁସି ହେଲେ ୨୦ ତାରିଖରେ ଛାଡିଦେବି ପଦ । ସେପଟେ ଜୋ- ବାଇଡେନଙ୍କୁ ରାଷ୍ଟ୍ରପତି ଘୋଷଣା

231

କନକ ବ୍ୟୁରୋ : ଆମେରିକା କଂଗ୍ରେସ ଦ୍ୱାରା ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ‘ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, ଏକ ଐତିହାସିକ ରାଷ୍ଟ୍ରପତି ଯୋଗର ଅନ୍ତ ହେଲା , ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୁର୍ଣ୍ଣ ଅସହମତି ପ୍ରକାଶ କରୁଛି ମାତ୍ର ମୁଁ ଜାନୁଆରୀ ୨୦ ତାରିଖରେ କ୍ଷମତାର ହସ୍ତାନ୍ତର କରିବି’ ।

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଟ୍ରମ୍ପ୍ ତାଙ୍କ ବୟାନରେ କହିଛନ୍ତି କି, ‘ମୁଁ ସବୁବେଳେ କହିଛି କି ସଠିକ୍ ଉପାୟରେ କିଭଳି ମତଦାନ ହୋଇପାରିବ ତାହା ଉପରେ ପ୍ରୟାସ ଜାରି ରଖିବି ଓ ନିର୍ବାଚନର ଫଳାଫଳକୁ କିଭଳି ଭାବେ ସ୍ୱଚ୍ଛ କରିହେବ ସେ ନେଇ ଚେଷ୍ଟା କରିବି, ଏହା ମୋର ପ୍ରଥମ ଓ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳର ଅନ୍ତ ଘଟିଲା । ଆମେରିକାକୁ ପୃଥିବୀର ଶ୍ରେଷ୍ଟ ରାଷ୍ଟ୍ରଭାବେ ଗଢିତୋଳିବାର ଏହା ମୋର ପ୍ରଥମ ପର୍ଯ୍ୟାୟ ପ୍ରୟାସ ’ । ଟ୍ରମ୍ପଙ୍କ ବୟାନରେ ପୁଣିଥରେ ସେ ନିର୍ବାଚନ ଆୟୋଗଙ୍କ ଉପରେ ଆରୋପ ଲଗାଇଛନ୍ତି । ଏହା ପୂର୍ବରୁ ଟ୍ରମ୍ପଙ୍କ ସମର୍ଥକ ମାନେ କ୍ୟାପିଟଲ ହିଲ୍ ବିଲ୍ଡିଂ ଉପରେ ଆକ୍ରମଣ କରି ଭୋଟ ଗଣତିରେ ରୋକ୍ ଲଗାଇବାକୁ ଚେଷ୍ଟା କରିଥିଲେ । ଏହି ଆକ୍ରମଣରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

ଆମେରିକା କଂଗ୍ରେସ ତରଫରୁ ଡେମୋକ୍ରେଟିକ୍ ପାର୍ଟିର ପ୍ରାଥୀ ଜୋ- ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇଛନ୍ତି । ଆମେରିକା କଂଗ୍ରେସ ଇଲେକ୍ଟ୍ରୋକାଲ କଲେଜ ଗଣତି ପରେ ବାଇଡେନଙ୍କୁ ବିଜୟୀ ଭାବେ ଘୋଷଣା କରିଛନ୍ତି । ବାଇଡେନଙ୍କ ବ୍ୟତିତ କମଲା ହେରିସ୍ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ବିଜୟୀ ଘୋଷଣା କରାଯାଇଛି । ଏହା ପୂର୍ବରୁ ସିନେଟ ଓ କଂଗ୍ରେସ ପକ୍ଷରୁ ଜର୍ଜିୟା, ପେନସିଲବେନିୟା, ଓ ଏରିଜିନା ସହିତ ଯୋଡି ହୋଇଥିବା ରିପବ୍ଲିକାନ ନେତାଙ୍କ ଭୋଟ ଗଣତି ପାଇଁ ହୋଇଥିବା ଅନୂୁରୋଧକୁ ଖାରଜ କରିଛନ୍ତି ।