ମହିଳାଙ୍କୁ ଅସଦାଚରଣ ନେଇ ଆସିଲା ସାଂଘାତିକ ତଥ୍ୟ: ଲକଡାଉନରେ ରାଜ୍ୟରେ ବଢିଛି ଦୁଷ୍କର୍ମ; ଜାନୁଆରୀରୁ ଜୁନ୍ ମଧ୍ୟରେ ୧୨ଶହ ୧୩ ଦୁଷ୍କର୍ମ ମାମଲା

ବିଶେଷଜ୍ଞ କହିଲେ ଏକାନ୍ତରେ ଥିବାରୁ ଚିହ୍ନାଜଣା ଓ ସଂପର୍କୀୟ ଦେଇଛନ୍ତି ଯୌନ ନିର୍ଯାତନା

90

କନକ ବ୍ୟୁରୋ: ଲକଡାଉନରେ ରାଜ୍ୟରେ ବଢିଛି ଦୁଷ୍କର୍ମ ମାମଲା । ଗତବର୍ଷ ତୁଳନାରେ ଚଳିତବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ଅଧିକ ଦୁଷ୍କର୍ମ ମାମଲା ହୋଇଛି । ଏହି ସମୟରେ ଚୋରି ଓ ସିନ୍ଧିଚୋରି ମଧ୍ୟ ବଢିଛି । ହେଲେ ହତ୍ୟା ଓ ଡକାୟତି ଭଳି ସଂଗୀନ ଅପରାଧ କମିଛି । ବିଶେଷଜ୍ଞଙ୍କ ମତରେ ଲକଡାଉନରେ ଲୋକେ ଏକାନ୍ତରେ ରହୁଥିବାରୁ ମହିଳାଙ୍କ ପ୍ରତି ଦୁଷ୍କର୍ମ ଭଳି ମାମଲା ଅଧିକ ବଢିଛି । ସେହିପରି ଲୋକଙ୍କ ଚଳପ୍ରଚଳ ଉପରେ ଶକ୍ତ କଟକଣା ଯୋଗୁଁ ହତ୍ୟା ଓ ଡକାୟତି ଭଳି ଅପରାଧ କମ୍ ରହିଛି ।

ତାଲା ବନ୍ଦରେ ବଢ଼ିଛି ଅପରାଧ

ଦୁଷ୍କର୍ମ ବଢ଼ିଛି, ସିନ୍ଧିଚୋରି ବଢ଼ିଛି

କରୋନା ସଂକ୍ରମଣକୁ ରୋକିବା ପାଇଁ ଚଳିତବର୍ଷ ପ୍ରଥମାର୍ଦ୍ଧରେ କଠୋର ଲକଡାଉନ କଟକଣା ସତ୍ୱେ ବଢିଛି ଦୁଷ୍କର୍ମ । ସାରାରାଜ୍ୟରେ ବିଭିନ୍ନ ଥାନାରେ ହୋଇଥିବା ଅଭିଯୋଗରୁ ଜଣାପଡିଛି, ଗତବର୍ଷ ତୁଳନାରେ ଚଳିତବର୍ଷ ଏହି ସମୟରେ ଦୁଷ୍କର୍ମ ମାମଲା ଅଧିକ ରହିଛି । ସେହିପରି ଚୋରି ଓ ସିନ୍ଧିଚୋରି ଭଳି ଅପରାଧରେ ବୃଦ୍ଧି ଆସିଛିି । କିନ୍ତୁ ଏହି ସମୟରେ କମିଛି ହତ୍ୟା ଓ ଡକାୟତି ଭଳି ସଂଗୀନ ଅପରାଧ । ପ୍ରଥମେ ନଜର ପକାନ୍ତୁ ଚଳିତବର୍ଷର ପ୍ରଥମାର୍ଦ୍ଧ ଅର୍ଥାତ ଜାନୁଆରୀରୁ ଜୁନ୍ ମଧ୍ୟରେ ସଂଗଠିତ ହୋଇଥିବା ଅପରାଧର ଏହି ତାଲିକା ଉପରେ ।

ବଢ଼ିଛି ଦୁଷ୍କର୍ମ, ହତ୍ୟା କମିଛି

ଅପରାଧ ୦୧/୦୧/୨୦ ରୁ ୩୦/୦୬/୨୦ ୦୧.୦୧.୧୯ରୁ ୩୦/୦୬/୨୦

ଦୁଷ୍କର୍ମ ୧୨୧୩ ୧୧୪୯

ସିନ୍ଧିଚୋରି ୨୦୬୦ ୧୭୦୦

ଚୋରି ୪୪୦୭ ୪୩୭୭

ହତ୍ୟା ୬୯୩ ୭୦୭

ଡକାୟତି ୨୦୯ ୨୨୪

ଜାନୁଆରୀରୁ ଜୁନ ମଧ୍ୟରେ ୧୨ଶହ ୧୩ଟି ଦୁଷ୍କର୍ମ ମାମଲା ହୋଇଛି । କିନ୍ତୁ ଗତବର୍ଷ ଏହି ସମୟରେ ୧୧ଶହ ୪୯ଟି ମାମଲା ହୋଇଥିଲା । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସାରାଦେଶ ଲକଡାଉନରେ ଥିବାବେଳେ ଦୁଷ୍କର୍ମ ମାମଲା ବଢିଲା କାହିଁକି? ବିଶେଷଜ୍ଞଙ୍କ ମତରେ ଲକଡାଉନ ସମୟରେ ଲୋକେ ଘରେ ଏକାନ୍ତରେ ରହିବାକୁ ଏଭଳି ଅପରାଧ ବଢିଛି । ଅଧିକାଂଶ ମାମଲାରେ ଚିହ୍ନାଜଣା ଲୋକଙ୍କ ଦ୍ୱାରା ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ହୋଇଛି । ବନ୍ଧୁ, ସଂପର୍କୀୟ କିମ୍ବା ପଡୋଷୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ମହିଳା ।  ଯଦିଓ ଚୋରି, ସିନ୍ଧିଚୋରି କିମ୍ବା ମହିଳାଙ୍କ ପ୍ରତି ଦୁଷ୍କର୍ମ ଭଳି ଅପରାଧ ବଢିଛି, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କମିଛି ହତ୍ୟା ଓ ଡକାୟତି ଭଳି ସଂଗୀନ ଅପରାଧ । ଲକଡାଉ ସମୟରେ ଲୋକ କିମ୍ବା ଗାଡିମୋଟର ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ରହିଥିଲା । ତେଣୁ ଅପରାଧୀ ଏକାଠି ସଂଗଠିତ ହୋଇନପାରିବାରୁ ଏଭଳି ଅପରାଧ ସଂଖ୍ୟାରେ ହ୍ରାସ ଦେଖାଦେଇଛି ।