ଅସୁସ୍ଥତା ଭିତରେ ବି ବାଲେଶ୍ୱର ଦେଭୋଗର ଛାତ୍ରୀ ସସ୍ମିତାଙ୍କ ସଂଘର୍ଷ ଜାରି । ରଙ୍ଗବେରଙ୍ଗର କଣ୍ଢେଇ ଗଢି ବିକ୍ରିି କରି ମୁଣ୍ଡାଇଛନ୍ତି ଘର ବୋଝ

62

କନକ ବ୍ୟୁରୋ : ସଜେଇ ହୋଇ ରହିଛି ରଙ୍ଗ ବେରଙ୍ଗର କଣ୍ଢେଇ । ଛୋଟରୁ ବଡ ଭଳିକିଭଳି ମନଲୋଭା କଣ୍ଢେଇ କିଣିବାକୁ ଲାଗୁଛି ଭିଡ । ଆଉ କଣ୍ଢେଇ ବିକିଲେ ଚଳୁଛି ଘର । ଏ କୌଣସି ବଡ ଚିତ୍ର ଶିଳ୍ପୀର କାରିଗରି କଳା ନୁହେଁ । ପରିବାର ଚଳାଇବାକୁ ଏ ହେଉଛି ଜଣେ ଛାତ୍ରୀର ପ୍ର୍ରୟାସ । ବାଲେଶ୍ୱର ବାଲିଆପାଳ ବ୍ଲକ ଦେଭୋଗର ଯୁକ୍ତ ତିନିର ଛାତ୍ରୀ । ଅଭାବ ଅନଟନ ଭିତରେ ରହୁଥିବା ପରିବାର କିଭଳି ଚଳିବ । ନିଜ ପାଠ ପଢା କିଭଳି ହେବ । ଏଥିରେ ଭାଙ୍ଗି ନପଡି ନିଜ ପ୍ରୟାସରେ ଭଳିକିଭଳି କଣ୍ଢେଇ ତିଆରି କରି ବିକ୍ରି କରୁଛନ୍ତି । ପରିବାର ଚଳାଇବା ପାଇଁ ମାଟିରେ କଣ୍ଢେଇ ତିଆରି କରିବା ସହ ପ୍ଲାଷ୍ଟିକ କଣ୍ଢେଇ ଆଣି ବିଭିନ୍ନ ପ୍ରକାର ରୁପ ଦେଉଛନ୍ତି । ଏହିସବୁ କଣ୍ଢେଇ ସ୍ଥାନୀୟ ବଜାରରୁ ନେଇ ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରୁଛନ୍ତି । ଛାତ୍ରୀ ଜଣକ ମଧ୍ୟ ଅସୁସ୍ଥ ଥିବା ବେଳେ ନିଜ ଟଙ୍କାରୁ ନିଜ ମେଡିସିନ୍ ଖର୍ଚ୍ଚ ତୁଲାଉଛନ୍ତି ।

ବାପାଙ୍କୁ ଆର୍ଥିକ ସହଯୋଗ ପାଇଁ ନିଜର କଷ୍ଟକୁ ଭୁଲି କଣ୍ଡେଇ ତିଆରି କରି ବିକ୍ରୀ କରୁଛନ୍ତି ସସ୍ମିତା । ଏହା ସହିତ ପ୍ରତି ୩ ମାସରେ ରୋଗର ପରିକ୍ଷା ପାଇଁ କଟକ ଯିବାକୁ ପଡୁଥିବାରୁ ପାଖାପାଖି ୫ ହଜାର ଟଙ୍କା ଆବଶ୍ୟକ ହେଉଛି । ଏନେଇ ନିଜ ଉପାର୍ଜିତ ଅର୍ଥ ବିନିଯୋଗ କରନ୍ତି । ହେଲେ ତାହା ବି ସମୁଦ୍ରକୁ ଶଙ୍ଖେ ଭଳି । ବାପା ରୋଗଗ୍ରସ୍ତ ହୋଇ ରୋଜଗାର ପାଇଁ ଅକ୍ଷମ ଥିବା ବେଳେ ପୁରା ପରିବାର ଭାର ସସ୍ମିତାଙ୍କ ଉପରେ । ସେପଟେ ସସ୍ମିତାଙ୍କ ବ୍ୟବସାୟ ବୃଦ୍ଧି ପାଇଁ ମିଶନ ଶକ୍ତି ବଜାର ମାଧ୍ୟମରେ ସମସ୍ତ ସାମଗ୍ରୀ କ୍ରୟ କରାଯିବା ସହିତ ଘର ଆଦି ସହାୟତା ଦିଆଯିବାକୁ ମିଳିଛି ପ୍ରତିଶ୍ରୁତି ।

ଦୁଃଖ କଷ୍ଟରେ ଚଳୁଥିବା ସସ୍ମିତାଙ୍କ ପରିବାକୁ ସାହାଯ୍ୟ କରିଲେ ଛାତ୍ରୀ ଜଣକ ନିଜ ପଢା ଜାରି ରଖିବା ସହ ନିଜ ଚିକତ୍ସା ମଧ୍ୟ ପାରିବେ ।