ସାଲେପୁରରେ ଅଘଟଣ । ଦୋଳବିଭାନ ସହ ବିରୂପା ନଦୀରେ ବୁଡିଗଲା ଡଙ୍ଗା । ଜଣେ ମୃତ,୧୫ ଉଦ୍ଧାର

401

କନକୃ ବ୍ୟୁରୋ: କଟକ ଜିଲ୍ଲା ସାଲେପୁର ନର୍ଦ୍ଦା ପଂଚାୟତ ହରିପୁର ଘାଟରେ ଅଘଟଣ ଘଟିଛି । ନଦୀରେ ଦୁଇ ଠାକୁର ବିଭାନ ସହ ୧୫ରୁ ଅଧିକ ଲୋକ ସ୍ଥାନୀୟ ଗୋବିନ୍ଦପୁର ମେଳଣ ସାରି ଫେରୁଥିବାବେଳେ ନଦୀରେ ବୁଡି ଯାଇଛନ୍ତି । ଏଥିରେ ଜଣେ ପ୍ରାଣ ହରାଇଥିବାବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ରଶ୍ମୀରଞ୍ଜନ ବେହେରା । ଘର ଭୀମଦାଶପୁର ପଂଚାୟତ ଅନ୍ତର୍ଗତ କୁଣ୍ଡିପଡିଆ ଗାଁରେ । ସେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଡଙ୍ଗା ବୁଡିଯିବା ପରେ ଅନ୍ୟ ଯାତ୍ରୀମାନେ କୂଳକୁ ପହଁରି ଫେରିଆସିଥିବାବେଳେ ରଶ୍ମୀରଞ୍ଜନ ବୁଡିଯାଇଥିଲେ । କିଛି ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।

ତେବେ ଘଟଣାସ୍ଥଳରେ ଦମକଳବାହିନୀ ବିଳମ୍ବରେ ପଂହଚିଥିବାରୁ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା । ପୋଲିସ ସେଠାରେ ପହଂଚି ପରିସ୍ଥିକୁ ନିୟନ୍ତ୍ରଣ କରିଥିଲା । ଖବର ଅନୁସାରେ, ଟାଙ୍ଗୀ-ଚୌଦ୍ୱାର ଅଧୀନ ଗୋବିନ୍ଦପୁର ମେଳଣରେ ଆଖପାଖ ଅଂଚଳରେ ୨୫ରୁ ଅଧିକ ଦୋଳବିଭାନ ସାମିଲ ହୋଇଥାନ୍ତି । ନଦୀ ଆରପଟୁ ୫ଟି ବିମାନ ଆସିଥାନ୍ତି । ତେବେ ଗତକାଲି ଲେଖନପୁର ଗାଁର ପ୍ରଭୁ ଚନ୍ଦ୍ରଶେଖରଙ୍କ ବିମାନ ନଦୀ ପାର ହେଉଥିବାବେଳେ ଏହି ଅଘଟଣ ଘଟିଥିଲା । ବିମାନ ସହ କାନ୍ଧିଆ ଓ ଯାତ୍ରୀମାନେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଚନ୍ଦ୍ରଶେଖରଙ୍କ ମୂର୍ତ୍ତିକୁ ଉଦ୍ଧାର କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଂଚଳର ଯୁବକ ପଂହଚି ଉଦ୍ଧାର କାମକୁ ତ୍ୱରାନ୍ୱିତ କରିଥିଲେ । ଆହତଙ୍କୁ ତୁରନ୍ତ ମେଡିକାଲକୁ ପଠାଯାଇଥିଲା ।