କୁକୁରଙ୍କ ପାଇଁ ବାହାରିଲା ଫୋନ୍  । ଯେବେ ମନ ହେବ ମାଲିକ ସହ ହୋଇପାରିବେ କଥାବର୍ତ୍ତା 

123

କନକ ବ୍ୟୁରୋ : ଆଜିର ଯୁଗରେ ମୋବାଇଲର ବ୍ୟବହାର ଅନେକ ମାତ୍ରାରେ ବଢିଯାଇଛି । ପିଲାଠୁ ବୁଢା ସମସ୍ତଙ୍କ ହତରେ ମୋବାଇଲ୍ ଦେଖିବାକୁ ମିଳିଯିବ । ଆଉ ଏବେ କୁକୁରଙ୍କ ପାଇଁ ଫୋନ୍ ବାହାର କରିଛନ୍ତି ବୈଜ୍ଞାନିକମାନେ ।  କଥାଟା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଣିକି ଯେତେବେଲେ ମନ ହେବ ମାଲିକ ସହ କଥା ହୋଇପାରିବେ ପୋଷା କୁକୁର ।

ବୈଜ୍ଞାନିକମାନେ ଏକ ପ୍ରୋଟଟାଇପ ଡଗଫୋନ୍ ଡିବାଇଜ୍ ତିଆରି କରିଛନ୍ତି । ଏହି ଡିଭାଇଜଟି ଦେଖିବାକୁ ବଲପରି । ଏହି ଡିଭାଇଜ୍ ଗତିବିଧି ଉପରେ ନଜର ରଖିବା ସହ କମ୍ପ୍ୟୁଟରରେ କନେକ୍ଟ ହୋଇପାରିବ । ଏଥିରେ ଭିଡିଓ କଲର ବ୍ୟବସ୍ଥା ମଧ୍ୟ ରହିଛି । ଏହି ଡିଭାଇଜଟିକୁ ୟୁନିଭରସିଟି ଅଫ୍ ଗ୍ଲାସଗୋର ଡ. ଇଲିୟାନା ତାଙ୍କ ସାଥୀଙ୍କ ସହ ମିଶି ତିଆରି କରିଛନ୍ତି । ଜ୍ୟାକ୍ ନାମକ ୧୦ ବର୍ଷିୟ କୁକୁର ପାଇଁ ଇଲିୟାନା ଏହି ଡିଭାଇଜଟି ତିଆରି କରିଛନ୍ତି । ଜ୍ୟାକକୁ ଏହି ଡିଭାଇଜ୍ ଇଲିୟାନା ସେତେବେଲେ ଦେଇଥିଲେ, ଯେତେବେଲେ ଇଲିୟାନା ୧୬ ଦିନ ପାଇଁ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ । ଇଲିୟାନା ଦେଖିବାକୁ ପାଇଥିଲେ ଜ୍ୟାକ୍ ୧୬ଦିନ ମଧ୍ୟରେ ଅନେକ ଥର ଇଲିୟାନାଙ୍କ ପାଖକୁ କଲ କରିଥିଲା । ଆଉ ଭିଡିଓ କଲରେ ଇଲିୟାନାଙ୍କୁ ଦେଖି ଖୁସି ହୋଇଥିଲା । ଏହିଥିରୁ ସ୍ପଷ୍ଟ ହୋଇଥିଲା ପୋଷା କୁକୁର ବି ବାହାରେ ଥିବା ମାଲିକକୁ ମନେପକାନ୍ତି ଏବଂ ତାଙ୍କ ସହ କଥା ହେବାକୁ ଚାହାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଇଲିୟାନା ଆହୁରି ଉନ୍ନତମାନର ପ୍ରୋଟଟାଇପ ଡଗଫୋନ୍ ତିଆରି କରିବା ପାଇଁ ରିସର୍ଚ ଜାରି ରଖିଛନ୍ତି ।