ଋଣ ସୁଝିଦେଲେ ପୋଷା କୁକୁର । ସାପ ସହ ଲଢେଇ କରି କରି ଜୀବନ ହରାଇଲେ, ସିସିଟିଭିରୁ ସ୍ପଷ୍ଟ ହେଲା ଚିତ୍ର

474

କନକ ବ୍ୟୁରୋ : ସେମାନେ ପଶୁ। ହିଂସ୍ର ମଧ୍ୟ। ହେଲେ ତାଙ୍କ ଅନ୍ତରରେ ବି ମମତ୍ବବୋଧ ଲୁଚି ରହିଛି। ମାଲିକଙ୍କ ପ୍ରତି ଯେ ସେମାନେ ‌କେତେ ଅନୁରକ୍ତ ହୋଇପାରନ୍ତି, ସେପରି ଏକ ଉଦାହରଣ ଦେଖିବାକୁ ମିଳିଛି କାନନ ବିହାର ଫେଜ୍‌-୨‌ରେ। ନିଜ ମାଲିକଙ୍କ ସୁରକ୍ଷା ପାଇଁ ଦୁଇ ପୋଷା ଲାବ୍ରାଡର୍‌ କୁକୁର ବ୍ଳାକି ଓ ସ୍ୱିଟି ନାଗ ସାପ ସହ ଲଢ଼ି ପ୍ରାଣ ହରାଇଛନ୍ତି। ଘଟଣାଟି ୧୬ ତାରିଖର ହୋଇଥିଲେ ହେଁ ଗୁରୁବାର ପଦାକୁ ଆସିଛି। କାନନବିହାରରେ ଆର୍ଯ୍ୟକାନ୍ତ ମାଝି ଓ ତାଙ୍କ ପରିବାର ରୁହନ୍ତି। ଗତମାସରେ କୁକୁରଦ୍ୱୟଙ୍କୁ ଆଣି ପାଳିଥିବା ଆର୍ଯ୍ୟକାନ୍ତଙ୍କ ବାପା ଡାକ୍ତର ପଦ୍ମନାଭ ମାଝିଙ୍କର ପରଲୋକ ହୋଇଥିଲା।

ପରେ ବ୍ଳାକି ଓ ସ୍ୱିଟିର ଦାୟିତ୍ୱ ଆର୍ଯ୍ୟକାନ୍ତଙ୍କ ପରିବାର ଉପରେ ନ୍ୟସ୍ତ ହୋଇଥିଲା। ପୋଷା ମାନିଯାଇଥିବାରୁ ସେମାନେ ଚେନ୍‌ରେ ବନ୍ଧା ହେଉନଥିଲେ। ଦିନ ଯାକ ଘର ପରିସରସ୍ଥ ବଗିଚାରେ ବୁଲନ୍ତି ଏବଂ ରାତିରେ ଏକ ସ୍ୱତନ୍ତ୍ର ଘରେ ରୁହନ୍ତି। ହଠାତ୍‌ ୧୬ ତାରିଖ ସକାଳେ ପୋଷା କୁକୁରଦ୍ବୟ ମରି ପଡ଼ିଥିବା ଦେଖିବାକୁ ମିଳିଲା। ଘରର ଜାଲି କବାଟ ଭାଙ୍ଗି କୁକୁରଦ୍ୱୟ ମରି ପଡ଼ିଥିବା ଦେଖି ଆର୍ଯ୍ୟକାନ୍ତଙ୍କ ପରିବାର ଏହା କୌଣସି ଦୁର୍ବୃତ୍ତଙ୍କ କାଣ୍ଡ ବୋଲି ସନ୍ଦେହ କଲେ। ତେଣୁ ତୁରନ୍ତ ତାଙ୍କ ପରିବାର ଇନ୍‌ଫୋସିଟି ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ଆସି ତଦନ୍ତ କଲା, ହେଲେ କିଛି ପାଇଲା ନାହିଁ।

ତେବେ କୁକୁରଦ୍ୱୟଙ୍କର ମୃତ୍ୟୁର କାରଣ ଜାଣିବା ପାଇଁ ବଗିଚାରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଗଲା। ସାପ କାମୁଡ଼ାରେ କୁକୁରଦ୍ବୟଙ୍କ ମୃତ୍ୟୁ ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ। କିନ୍ତୁ ସାପଟି କେଉଁ ପ୍ରଜାତିର ଜାଣିବା ପାଇଁ ଆର୍ଯ୍ୟକାନ୍ତଙ୍କ ପରିବାରର ଅନୁରୋଧ ପରେ ସ୍ନେକ୍‌ ହେଲ୍‌ପଲାଇନ୍‌ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ଅଭିଜ୍ଞ ସାପ ଉଦ୍ଧାରକାରୀ ପୂର୍ଣ୍ଣଚନ୍ଦ୍ର ଦାସ ତାଙ୍କ ଘରେ ପହଞ୍ଚିଥିଲେ। ସେଦିନର ସିସିଟିଭି ଚିତ୍ରରେ ଦେଖିବାକୁ ପାଇଥିଲେ ଯେ ୫/୬ ଫୁଟ୍‌ର ଏକ ନାଗ ସାପକୁ ଦେଖିବା ପରେ କୁକୁରଦ୍ୱୟ ଜାଲି କବାଟ ଭାଙ୍ଗି ତାକୁ ଆକ୍ରମଣ କରୁଛନ୍ତି। ସାପକୁ ଘରକୁ ପୂରାଇ ନଦେବା ପାଇଁ କୁକୁରଦ୍ୱୟ ଲଢ଼ିବା ସହ ଶେଷରେ ସାପ କାମୁଡ଼ାରେ ପ୍ରାଣ ହରାଇଥିବା ଶ୍ରୀ ମଲ୍ଲିକ ସ୍ପଷ୍ଟ କରିଛନ୍ତି।