ମାଲିକକୁ ରକ୍ଷା କରିବାକୁ କୁକୁର କଲା ଏଭଳି କାମ, ବାଧ୍ୟହୋଇ ଫେରିଗଲେ ଅପହରଣକାରୀ

151

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଗ୍ୱାଲିଅରରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ସେଠାରେ ମଣିଷର ସବୁଠାରୁ ବିଶ୍ୱସ୍ଥ କୁହାଯାଉଥିବା ଏକ କୁକୁର ତା’ର ମାଲିକକୁ ବଞ୍ଚାଇବାକୁ ଯାହା କରିଛି ତାହା ଜାଣିଲେ ଆପଣ ଚକିତ ହୋଇଯିବେ । କିଛି ଗୁଣ୍ଡାଶ୍ରେଣୀୟ ଲୋକ ଯେତେବେଳେ ତାର ମାଲିକକୁ ମାଡମାରି ଗାଡିରେ ଅପହରଣ କରିନେବାକୁ ବସିଥିଲେ ସେତେବେଳେ କୁକୁରଟି ସେମାନଙ୍କ ସହ ଏଭଳି ଲଢିଲା ଯେ ଶେଷରେ ବାଧ୍ୟହୋଇ ଅପହରଣକାରୀମାନେ ସେ ସ୍ଥାନ ଛାଡି ପଳାଇଥିଲେ ।

ଏହି ଘଟଣା ଗ୍ୱାଲିଅର ଥାଟିପୁର ଥାନା ଅଞ୍ଚଳ ଅଶୋକ କଲୋନୀରେ ଦେଖିବାକୁ ମିଳିଛି । ଏହି ମାମଲାକୁ ନେଇ ଆଡିସନାଲ ଏସପି ରାଜେଶ ଦଣ୍ଡୋତିଆ କହିଛନ୍ତି କି, ଅଶୋକ କଲୋନୀରେ ରହୁଥିବା ନିତୀନ ଯେତେବେଳେ ନିଜ ଘରେ ଏକୁଟିଆ ଥିଲେ ସେହି ସମୟରେ ଏକ ଗାଡିରେ ୪/୫ ଜଣ ବଦମାସ ଆସିଥିଲେ । ସେମାନେ ନିତୀନକୁ ମାରପିଟ କରିବା ସହ ଅପହରଣ କରିବା ଉଦ୍ଦେଶ୍ୟରେ ତାଙ୍କୁ ଗାଡିରେ ବସାଇଦେଇଥିଲେ । ଠିକ୍ ସେତିକି ବେଳେ ନିତୀନଙ୍କୁ ପାଳିତ କୁକୁର ଏସବୁ ଦେଖି ନିଜ ମାଲିକକୁ ରକ୍ଷା କରିବାକୁ ବଦମାସ ମାନଙ୍କ ସହ ଲଢିବା ଆରମ୍ଭ କରିଦେଇଥିଲେ ।

ଜର୍ମାନ ସେଫଡ ପ୍ରଜାତିର ଏହି କୁକୁର ବଦମାସଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା । କୁକୁରଟି ଜଣଙ୍କ ପରେ ଜଣଙ୍କୁ କାମୁଡିବାରୁ ବଦମାସମାନେ ନିତୀନଙ୍କୁ ଛାଡି ସେଠାରୁ ପଳାଇଯାଇଥିଲେ । ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଚିତ୍ର କଏଦ ହୋଇଛି । ବର୍ତମାନ ନିତୀନଙ୍କ ଅଭିଯୋଗ ପରେ ବଦମାସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ତଦନ୍ତ ଜାରୀ ରଖିଛି । ପୋଲିସ କହିଛି କି, ଖୁବଶୀଘ୍ର ବଦମାସମାନେ ଧରାପଡିଯିବେ ।