ଆପଣଙ୍କ ବିନା ଅନୁମତିରେ ବି ଗୁଗୁଲ ଆପଣଙ୍କ ଉପରେ ରଖୁଛି ନଜର ? ମୋବାଇଲ ଲୋକେସନ ବନ୍ଦ ଥିଲେ ବି ଲୋକେସନ ଟ୍ରାକ କରୁଛି ଗୁଗୁଲ !!

422

କନକ ବ୍ୟୁରୋ : ଆପଣଙ୍କ ମୋବାଇଲର ଲୋକେସନ ବନ୍ଦ ରହିଲେ ବି ଗୁଗୁଲ ଆପଣଙ୍କ ଉପରେ ରଖିଛି ନଜର । ଅଧିକାଂଶ ସମୟରେ ଆପଣମାନେ ନିଜ ମୋବାଇଲର ଲୋକେସନ ବନ୍ଦ ରଖନ୍ତି କିନ୍ତୁ ସେହି ସମୟରେ ବି ଗୁଗୁଲ ଆପଣଙ୍କ ଉପରେ ପୂରା ନଜର ରଖିଛି । ତେବେ ଏମିତି ଖବର ଗୁଗୁଲର ଇଂଜିନିୟର ମାନେ ଦେଇଛନ୍ତି । ଇଂଜିନିୟରମାନେ ସ୍ୱୀକାର କରିଛନ୍ତି ଯେ, ଗୁଗୁଲର ଲୋକେସନ ଆପ୍ଲିକେସନ ଆପର ଗୋପନୀୟତା ସେଟିଂରେ କିଛି ତ୍ରୁଟି ରହିପାରେ ତେଣୁ ଲୋକେସନ ବନ୍ଦ ହେବା ପରେ ବି ଗୁଗୁଲ ଆପଣଙ୍କୁ ଟ୍ରାକ କରିପାରୁଛି ।

ଗୁଗୁଲ ଲୋକେସନ ଆପ୍ଲିକେସନରେ ରହିଛି କି ତ୍ରୁଟି ?

ଲୋକେସନ ଅଫ୍ ଥିଲେ ବି ଗୁଗୁଲ ରଖୁଛି ନଜର !

ନିୟମ ଉଲଙ୍ଘନ କରୁଛି କି ଗୁଗୁଲ !

ଗୁଗୁଲ ବିରୋଧରେ ଦାୟର ହେଲା ମାମଲା !

ଲୋକେସନ ବନ୍ଦ ରହିବା ପରେ ବି ଲୋକେସନ ଜଣାପଡୁଥିବାରୁ ଆରିଜୋନା ଆଟର୍ଣ୍ଣିଂ ଜେନେରାଲଙ୍କ ଦ୍ୱାରା ତିନିମାସ ପୂର୍ବରୁ ଏକ ଆବେଦନ କରାଯାଇଥିଲା ଯେଉଁଥିରେ ଶୁଣାଣି ସମୟରେ କୋର୍ଟରେ ଦାଖଲ ହୋଇଥିବା ସମସ୍ତ ଦଲିଲ ଖୋଲାଯାଇଥିଲା । ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ଗୁଗୁଲର ତଥ୍ୟ ସଂଗ୍ରହ ପ୍ରକ୍ରିୟା ରାଜ୍ୟର ଗ୍ରାହକ ଠକେଇ ଆଇନର ଉଲଙ୍ଘନ କରିଛି । ୨୦୧୮ ମସିହାରେ ମଧ୍ୟ ଏପରି ମାମଲା ରୁଜୁ ହୋଇଥିଲା । ମାମଲା ହେବା ପରେ ଗୁଗୁଲ ଜାଣିଥିଲା ଯେ, ସେ ଏକ ବଡ ଅସୁବିଧାରେ ପଡିବାକୁ ଯାଉଛି । କାରଣ ଯେଉଁ ସମୟରେ ଉପଭୋକ୍ତାମାନେ ନିଜର ଲୋକେସନକୁ ବନ୍ଦ କରୁଛନ୍ତି ଠିକ୍ ସେହି ସମୟରେ ଗୁଗୁଲ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛି । ଗୁଗୁଲର ଆଭ୍ୟନ୍ତରୀଣ ଇମେଲରୁ ଏପରି ତଥ୍ୟର ପ୍ରମାଣ ମିଳିଛି ।

କମ୍ପାନୀକୁ କାହିଁକି ଗାଳିଦେଲେ କର୍ମଚାରୀ ?

ତେବେ କୋର୍ଟରେ ମାମଲା ରୁଜୁ ହେବା ପରେ ଗୁଗୁଲର କର୍ମଚାରୀ ମଧ୍ୟ ହାଜର ହୋଇଥିଲେ । କେମିତି ଓ କେଉଁ ପରିସ୍ଥିତିରେ ଲୋକେସନ ବନ୍ଦ ହେବା ପରେ ବି ଗୁଗୁଲ ଲୋକେସନ ଦେଉଛି ତାହାକୁ ନେଇ ଶୁଣାଣି ହୋଇଥିଲା । ତେବେ ଏହାରି ମଧ୍ୟରେ କମ୍ପାନୀର କିଛି ଇଂଜିନିୟର କମ୍ପାନୀକୁ ଗାଳିଗୁଲଜ କରିଥିବା କଥା ମଧ୍ୟ ସାମ୍ନାକୁ ଆସିଛି । କର୍ମଚାରୀଙ୍କ କହିବା ଅନୁସାରେ, ଆପ୍ଲିକେସନର ସେଟିଂ କେମିତି କାମ କରୁଛି ଓ କାହା ଦ୍ୱାରା କାମ କରୁଛି ତାହା ଜାଣିବା ନିହାତି ଦରକାର । କାରଣ ଏପରି କାର୍ଯ୍ୟ ପାଇଁ କମ୍ପାନୀ ଉପରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଜଣେ କର୍ମଚାରୀଙ୍କ କହିବା ଅନୁସାରେ ଯଦି ଜଣେ ନିଜର ଉପସ୍ଥିତି ସମ୍ପର୍କରେ କାହାକୁ ଜଣାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ତେବେ କୌଣସି ପରିସ୍ଥିତିରେ ଏହାକୁ ସାର୍ବଜନୀନ କରିବା ଆଦୌ ଠିକ ନୁହେଁ । କୋଟି କୋଟି ଲୋକ କମ୍ପାନୀ ଉପରେ ବିଶ୍ୱାସ ରଖନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କମ୍ପାନୀର ଆଭ୍ୟନ୍ତରୀଣ ମେଲ ସାର୍ବଜନୀନ ହେବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ।

ଗୁଗୁଲ ବିରୋଧରେ ଚାଲିବ ତଦନ୍ତ !

୨ ବର୍ଷ ପୂର୍ବେ ଅନୁରୂପ ଖବର ଆସିଥିବା କାରଣରୁ ଗୁଗୁଲ ଲୋକେସନ ବ୍ୟବହାରକାରୀଙ୍କ ଲୋକେସନ ଲୁଚାଇବା ପାଇଁ ଗୋପନୀୟତା ସେଟିଂରେ ପରିବର୍ତନ କରିଥିଲା । ତେବେ ଏହାରି ମଧ୍ୟରେ ଗୁଗୁଲ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି । କେଉଁ ପରିସ୍ଥିତିରେ ଜଣେ ଉପଭୋକ୍ତାଙ୍କ ବିନା ଅନୁମତିରେ ସେମାନଙ୍କର ଲୋକେସନ ଉପରେ କମ୍ପାନୀ ନଜର ରଖିଛି ତାହାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଏପରିକି ଏହା କମ୍ପାନୀକୁ ମହଙ୍ଗା ପଡିପାରେ ବୋଲି କୁହାଯାଉଛି ।