କନକ ବ୍ୟୁରୋ : ସରକାରଙ୍କ ବିଶ୍ୱସ୍ତରୀୟ ପ୍ରୋଜେକ୍ଟ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ କୁଆଡେ ଗଲା ତାର ଖବର କାହା ପାଖରେ ନାହିଁ । ଏବେ ଶ୍ରୀମନ୍ଦିର ଚାରିପଟ ସାହିରେ ବ୍ୟାପିଛି ଝାଡାବାନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ ବାସେଳି ସାହିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ଖୁଂଟିଆ ଓ ବିମାନବଡୁ ସାହିର ୭୦ ବର୍ଷିୟା ବାସନ୍ତୀ ଦାସ ପ୍ରାଣ ହରାଇଛନ୍ତି । ପରିବାରଲୋକଙ୍କ କହିବା ଅନୁସାରେ, ଦୁଇତିନି ଦିନ ହେଲାଣି ଏମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । କୁହାଯାଉଛି, ବାସେଳିସାହି ମୌଜାର ୪୦ରୁ ଅଧିକ ପରିବାର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରପଟ ଖୋଳାଯାଉଛି । ଆଉ ନିର୍ମାଣ କାମ ଯୋଗୁଁ ଫାଇପ ଫାଟି ଆବର୍ଜନା ପାଣି ପଶୁଛି । ଏହି ଅଂଚଳରେ ରହୁଥିବା ଅଧିକାଂଶ ପରିବାର ସେବାୟତ ପରିବାର ହୋଇଥିବାରୁ ଖରାପ ପାଣି ପିଇ ଝାଡାବାନ୍ତି ବ୍ୟାପିଛି ।
ପୁରୀର ବାସେଳିସାହି ଓ ଏହାର ଆଖପାଖ ଅଂଚଳରେ ଦୂଷିତ ପାଣି ପିଇ ଘରେ ଘରେ ଝାଡାବାନ୍ତି ବ୍ୟାପିଛି । ଏଭଳି ଖବର ଜଣାପଡିବା ପରେ ଡାକ୍ତରୀ ଟିମ ସଂପୃକ୍ତ ସାହିକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ଥାନୀୟ ଅଂଚଳରେ ପାଣିଟାଙ୍କି ସଫା କରାଯାଇଛି । ସଂପୃକ୍ତ ଅଂଚଳରୁ ନମୁନା ସଂଗ୍ରହ କରାଯାଇଛି । ତଥାପି ପରିସ୍ଥିତି ସୁଧୁରୁନି । ନିଜେ ଜିଲ୍ଲାପାଳ ବାସେଳିସାହି ଓ ଏହାର ଆଖପାଖ ଅଂଚଳ ବୁଲିଛନ୍ତି । ଡାକ୍ତରୀ ଟିମ ବି ଚିକିତ୍ସା କରୁଛନ୍ତି । ସ୍ଥିତି ନିୟନ୍ତ୍ରଣରେ ଆସିବାକୁ ଆହୁରି ଦିନେ ଦୁଇଦିନ ଲାଗିବ ବୋଲି ଡାକ୍ତର କହୁଛନ୍ତି ।
ପୁରୀକୁ ୨୪ ଘଂଟିଆ ବିଶୁଦ୍ଧ ପିଇବା ପାଣି ଯୋଗଇଦେବା ପାଇଁ ୨୦୨୧ରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ଆରମ୍ଭ ହୋଇଥିଲା । ଦେଶର ପ୍ରଥମ ଏଭଳି ପ୍ରୋଜେକ୍ଟ କହି ବାହାବାହା ନେଇଥିଲେ ସରକାର । କିନ୍ତୁ ଏହାର ଏକବର୍ଷ ପରେ ଶ୍ରୀମନ୍ଦିର ପାଖ ସାହିରେ ଝାଡାବାନ୍ତି ବ୍ୟାପିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/HDHDHD.jpg)