କନକ ବ୍ୟୁରୋ : ଆସନ୍ତାକାଲି ବିଜେପିରେ ଯୋଗଦେବେ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ । ଦିଲ୍ଲୀ ଦଳୀୟ କାର୍ଯ୍ୟାଳୟରେ ପଦ୍ମ ଧରିବେ ଅପରାଜିତା । ତେବେ ଗେରୁଆ ଟୋପି ପିନ୍ଧିବା ପୂର୍ବରୁ ଏହି ଫାୟାର ବିଗ୍ରେଡ ଆଇଏଏସ ଅଫିସରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ଅପରାଜିତାଙ୍କ ବିଜେପି ଠାଣି ଦେଖିବାକୁ ମିଳିଛି । ବିଜେପି ନେତାଙ୍କ ଅନ୍ଦାଜରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ଅପରାଜିତା । ଆଉ ଏହାସହ ମୋଦିଙ୍କ ସବକା ସାଥ୍ ସବକା ବିକାଶ ନାରା ଦେବାକୁ ଭୁଲିନାହାନ୍ତି ଅଫିସରରୁ ନେତା ହେବାକୁ ଯାଉଥିବା ଅପରାଜିତା ।
ରାଜନୈତିକ ମୈଦାନରେ ଏଣ୍ଟ୍ରି ମାରିବା ପୂର୍ବରୁ ଅପରାଜିତାଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଏକ ଡକ୍ୟୁମେଣ୍ଟାରୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଆଇଏଏସ ଅଫିସର ଭାବେ ଅପରାଜିତାଙ୍କ ପୂରା ଯାତ୍ରାକୁ ଏଭଳି ଢଙ୍ଗରେ ଦେଖାଯାଇଛି ଯାହା ତାଙ୍କୁ ଆଗାମୀ ନିର୍ବାଚନରେ ମାଇଲେଜ ଦେବ । ଏପରିକି ଆଇଏଏସ ଅଫିସର ଭାବେ ପାଇଥିବା ସଫଳତାକୁ ରାଜନୀତି ମୈଦାନରେ ଦୋହରାଇବାକୁ ଲକ୍ଷ୍ୟ ରଖିଛନ୍ତି ଅପରାଜିତା । ଓଡିଶାର ଲୋକମାନେ ଭଲ ସରକାରକୁ ବେଶ ପସନ୍ଦ କରିବା ସହ ସମର୍ଥନ ମଧ୍ୟ କରିଥାନ୍ତି । ଆଉ ଏଭଳି କହି ଓଡିଶାବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ଅପରାଜିତା । ରାଜନୀତି ମୈଦାନରେ ଏଣ୍ଟ୍ରି ମାରିବା ପୂର୍ବରୁ ପୂରା ବ୍ଲୁ ପ୍ରସ୍ତୁତ କରି ସାରିଛନ୍ତି ଅପରାଜିତା । ଏପରିକି ଯେଉଁ ନିର୍ବାଚନମଣ୍ଡଳୀରୁ ସେ ଲଢିବେ ତାହା ପାଇଁ ପୂରା ଏଜେଣ୍ଡା ପ୍ରସ୍ତୁତ କରି ସାରିଛନ୍ତି ଅପରାଜିତା । କାରଣ ଯେଉଁ ନିର୍ବାଚନ ମଣ୍ଡଳୀର ସେ ପ୍ରତିନିଧିତ୍ୱ କରିବେ, ତାକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଭୋଟ ହେବା ପୂର୍ବରୁ ଜନତାଙ୍କୁ କିଭଳି ସ୍ୱପ୍ନ ଦେଖାଯାଏ ତାହା ନେତା ହେବା ପୂର୍ବରୁ ବେଶ ଭଲ ଭାବେ ପରଖି ନେଇଛନ୍ତି ।
ବିଶେଷ କରି ଗଣଶିକ୍ଷା ବିଭାଗର ସଚିବ ବେଳେ ନେଇଥିବା ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଓ ବିଏମସି କମିସନର ଭାବେ ତାଙ୍କର କାର୍ଯ୍ୟାବଳୀକୁ ଏହି ଡକ୍ୟୁମେଂଟାରୀରେ ଦର୍ଶାଯାଇଛି । ପ୍ରଶାସିକା ଭାବରେ ଥିବା ତାଙ୍କର ଅଭିଜ୍ଞତା ଓ ଲୋକପ୍ରିୟତାକୁ ପାଥେୟ କରି ସେ ରାଜନୀତିକୁ ଓହ୍ଲାଉଛନ୍ତି । ଡକ୍ୟୁମେଂଟାରୀରେ ଥିବା ତାଙ୍କ ମନ୍ତବ୍ୟରୁ ଜଣାପଡୁଛି ରାଜ୍ୟର ଗରିବିକୁ ନେଇ ରାଜନୀତିର କାର୍ଡ ଖେଳିବାକୁ ଯାଉଛନ୍ତି ଅପରାଜିତା । ଏପରିକି ଓଡିଶାର ଗରିବିକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ତେଣୁ ଏହି ବାବଦରେ ଲୋକମାନଙ୍କ ସହ ଆଲୋଚନା କରି କାମ କରିବା ଆବଶ୍ୟକ ବୋଲି କହିଛନ୍ତି ଏହି ପୂର୍ବତନ ପ୍ରଶାସିକା ।
ଏହାଛଡା ଏହି ଡକ୍ୟୁମେଣ୍ଟାରୀରେ ଅପରାଜିତାଙ୍କ ତୁଣ୍ଡରେ ମୋଦିଙ୍କ ନାରା ମଧ୍ୟ ଶୁଣିବାକୁ ମିଳିଛି । ସବକା ସାଥ୍ ସବକା ବିକାଶ । ଅଥାର୍ତ ସମସ୍ତଙ୍କୁ ସାଥୀରେ ନେଇ ଯଦି ବିକାଶ କରାଯାଏ ତେବେ ପ୍ରକୃତ ବିକାଶ ହେବ ବୋଲି କହିଛନ୍ତି ଅପରାଜିତା । କିଛି ନିିଦ୍ଦିଷ୍ଟ ସ୍ଥ୍ାନର ବିକାଶକୁ ପ୍ରକୃତ ବିକାଶ ହୋଇଛି ବୋଲି କୁହାଯାଇପାରିବ ନାହିଁ । ଆଉ ଏଭଳି କହି ପ୍ରତି ବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ରାଜନୀତିରେ ବିକାଶର କାର୍ଡ ଖେଳିବାକୁ ଯାଉଛନ୍ତି ଅପରାଜିତା ।ଆଉ ଏଭଳି ବୟାନ ହିଁ ଦର୍ଶାଉଛି ଯେ, ରାଜନୀତିରେ ଏକ ଲମ୍ବା ଇନିଂସ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଅପରାଜିତା ।
କେଉଁ ଭୂମିକାରେ ସେ ରାଜନୀତିର କ୍ୟାରିୟରକୁ ଆଗକୁ ନେବେ ଏ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଥିବା ବେଳେ ଏହି ଡକ୍ୟୁମେଂଟାରୀ ମାଧ୍ୟମରେ ନିଜ ଆଭିମୁଖ୍ୟ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ । ତେବେ ରାଜନୀତିର ନୂଆ ଇନିଂସ ଅପରାଜିତାଙ୍କ ପାଇଁ ଏତେ ସହଜ ହେବ ନାହିଁ । ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ ଅପରାଜିତାଙ୍କୁ । କାରଣ ଜଣେ ଅଫିସର ଭାବେ ନିର୍ଦ୍ଦେଶ ଦେଇ କାମ କରେଇନେବାର କୌଶଳ ଅପରାଜିତା ବେଶ ଭଲ ଭାବେ ଜାଣିଥିବେ ସତ । କିନ୍ତୁ ରାଜନୀତିରେ ଗୋଳିଆପାଣି ଭିତରେ ଜନତାଙ୍କୁ ପ୍ରତିଶୃତି ଦେଇ ତାହାକୁ ପାଳନ କରିବା ବେଶ କଷ୍ଟକର । ତେଣୁ ଓଡିଶା ରାଜନୀତିରେ ଅପରାଜିତାଙ୍କୁ ଲୋକେ କେତେ ଗ୍ରହଣ କରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।