କନକ ବ୍ୟୁରୋ : ବ୍ରହ୍ମପୁର ବଡମେଡିକାଲରେ ଦୁଇ ଦୁଇଟି ଜଟିଳ ରୋଗର ସଫଳ ଅସ୍ତ୍ରୋପଚାର ହୋଇଛି । ଡାକ୍ତରଙ୍କ ଯୋଗୁଁ ନୂଆ ଜୀବନ ପାଇଛନ୍ତି ରୋଗୀ । ପକ୍ଷଘାତ ଭଳି ଦୂରାରୋଗରେ ପୀଡିତ ଦୁଇଟି ରୋଗୀଙ୍କ ମେରୁଦଣ୍ଡରେ ଜଟିଳ ଅସ୍ତ୍ରୋପଚାର କରି ସଫଳତା ପାଇଛନ୍ତି ଏମକେସିଜିର ଡାକ୍ତରୀଦଳ । ଗଞ୍ଜାମ ଜିଲ୍ଲା ଟିକରପଡାର ଟୁଟୁ ନାୟକ ଓ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ପଦ୍ମଚରଣ ନୂଆ ଜୀବନ ପାଇଛନ୍ତି ।

Advertisment

ମେରୁଦଣ୍ଡ ଜନିତ ଆଘାତ ପାଇ ପକ୍ଷଘାତର ଶିକାର ହୋଇ ଖଟିଆରେ ଅସହାୟ ହୋଇ ପଡିରହୁଥିବା ଦୁଇ ରୋଗୀ ଅସ୍ତ୍ରୋପଚାର ପରେ ଚଲାବୁଲା କରିପାରୁଛନ୍ତି । ସେମାନେ ଧିରେ ଧିରେ ସୁସ୍ଥ ହେଉଛନ୍ତି, ପକ୍ଷଘାତରୁ ମୁକୁଳି ଆଗକୁ ସ୍ୱାଭାବିକ ଜୀବନ ଯାପନ କରିପାରିବେ ବୋଲି ଅସ୍ତ୍ରୋପଚାର କରିଥିବା ଡାକ୍ତର କହିଛନ୍ତି । ଗଞ୍ଜାମ ଜିଲ୍ଲା ଟିକରପଡାର ଟୁଟୁ ନାୟକ ଏକମାସ ତଳେ ଛାତରୁ ଖସିପଡି ଆହାତ ହୋଇଥିଲେ । ଛାତରୁ ପଡିଯିବା ପରେ ତାଙ୍କୁ ଆଘାତ ଲାଗି ଅଣ୍ଟାରୁ ପାଦ ଯାଏଁ ସମ୍ପୂର୍ଣ୍ଣ ଅଚଳ ହୋଇଗଲା । ଫଳରେ ଖଟିଆରେ ପଡି ପଡି ମଳମୂତ୍ର ତ୍ୟାଗ କରି ଦୁର୍ବିସହ ହୋଇପଡିଥିଲା । ଏମକେସିଜିରେ ଭର୍ତ୍ତି ହେବା ପରେ ଅସ୍ଥିଶଲ୍ୟ ଓ ନିଶ୍ଚେତକ ବିଭାଗ ମୁଖ୍ୟଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ଦୀର୍ଘ ୭ଘଣ୍ଟା ଅସ୍ତ୍ରୋପଚାର କରିଥିଲେ । ଏବେ ଟୁଟୁଙ୍କ ଗୋଡ ଦୁଇଟି ଧିରେ ଧିରେ ସଚଳ ହେବାରେ ଲାଗିଛି ।

ସେହିପରି ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳ ପଦ୍ମଚରଣ ଜୁନ ୨୬ରେ ସଡକ ଦୁର୍ଘଟଣାର ଶିକାର ହେବା ପରେ ପକ୍ଷଘାତରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଗୋଡ ଦୁଇଟି ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିଲା । ଜୁଲାଇ ୨୬ରେ ଏମକେସିଜିର ଡାକ୍ତରୀ ଦଳ ଦୀର୍ଘ ୫ଘଣ୍ଟାର ପରିଶ୍ରମ କରି ସଫଳ ଅସ୍ତ୍ରୋପଚାର କରିଥିଲେ । ଅପରେସନ ପରେ ଦୁଇ ଦୁଇଟି ରୋଗୀ ନୂଆ ଜୀବନ ପାଇଥିବା ଏମକେସିଜିର ଅସ୍ଥିଶଲ୍ୟ ଓ ନିଶ୍ଚେତକ ବିଭାଗ ମୁଖ୍ୟ ସମେତ ତାଙ୍କ ଟିମ୍ ଖୁସି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏଭଳି ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ରୋଗୀ ଆସିବେ, ଘରୋଇ ହସ୍ପିଟାଲରେ ବ୍ୟୟବହୁଳ ଚିକିତ୍ସା କରୁଥିବା ରୋଗୀଙ୍କୁ ମଧ୍ୟ ଏମକେସିଜିକୁ ଆସିବା ପାଇଁ ପ୍ରେରଣା ଯୋଗାଇବ ।