ଚାକିରି କରିଛି ‘କଟକ’ ପାଇଁ ! ମନ୍ତ୍ରୀ ବଦଳୁଛନ୍ତି ସଚିବ ବଦଳୁଛନ୍ତି ହେଲେ ଏସସିବିରେ ବଦଳୁ ନାହାନ୍ତି ଡାକ୍ତର

34

କନକ ବ୍ୟୁରୋ : ଯିଏ ସହରରେ ଅଛି ସେ ବର୍ଷ ବର୍ଷ ଧରି ସେଠାରେ ରହିଲା । ଉପାନ୍ତ ଅଂଚଳରେ ଥିବା ଚାକରିଆଙ୍କ ପାଇଁ ସହର ଆସିବା ସାତ ସପନ । ଏପରି ସ୍ଥିତି ସୃଷ୍ଟି ହୋଇଛି ସ୍ୱାସ୍ଥ୍ୟ ବିଭାଗରେ । ନିୟମ ଅନୁସାରେ ଗୋଟିଏ ସ୍ଥାନରେ ତିନି ବର୍ଷ ରହିବାର ବ୍ୟବସ୍ଥା ଥିବା ବେଳେ କଟକ ବଡମେଡିକାଲରେ ୧୦ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି ପ୍ରାୟ ୬୯ ଜଣ ଡାକ୍ତର । ସହର ମୋହରେ ଥିବା ଡାକ୍ତରଙ୍କ ପାଇଁ କିଛି ସରକାରୀ କର୍ମଚାରୀ ହାତବାରିସୀ ସାଜିଥିବା ଅଭିଯୋଗ ଆସିଛି । ସୂଚନା ଅଧିକାର ଆଇନ ବଳରେ ମିଳିଛି ଏପରି ଏକ ଚାଂଚଲ୍ୟକର ତଥ୍ୟ । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଡାକ୍ତର ବି. ଏନ. ମହାନ୍ତି
ପ୍ରଫେସର, ଏଣ୍ଡୋକ୍ରାଇନ୍ ସର୍ଜରୀ
୧୫ ବର୍ଷରୁ ଅଧିକ

ଡାକ୍ତର ଛବି ଶତପଥୀ
ଆସୋସିଏଟ୍ ପ୍ରଫେସର, କାର୍ଡିଓଲୋଜୀ
୧୫ ବର୍ଷରୁ ଅଧିକ

ଡାକ୍ତର ମୋନାଲିସା ନନ୍ଦ
ଆସୋସିଏଟ୍ ପ୍ରଫେସର, ସ୍କିନ୍ ଆଣ୍ଡ ଭିଡି
୧୩ ବର୍ଷରୁ ଅଧିକ

ଡାକ୍ତର ଦତେଶ୍ୱର ହୋତା
ପ୍ରଫେସର, ୟୁରୋଲୋଜି
୧୫ ବର୍ଷରୁ ଅଧିକ

ଦୀର୍ଘ ବର୍ଷ ଧରି ଏସସିବିରେ ରହିଛି ଏମାନଙ୍କ ଦବଦବା । ସୂଚନା ଅଧିକାର ବଳରେ ଅସିଥିବା ତଥ୍ୟ କହୁଛି, ୧୦ ବର୍ଷରୁ ଅଧିକ ସମୟ ଧରି କଟକ ବଡ ମେଡିକାଲରେ ଅଛନ୍ତି ୬୯ ଜଣ ଡାକ୍ତର । ନା ସେମାନଙ୍କର ବଦଳି ହେଉଛି, ନା ପଛୁଆ ଅଂଚଳରେ କାମ କରୁଥିବା ଡାକ୍ତର ସହରକୁ ଆସିପାରୁଛନ୍ତି । ଯାହା ସରକାରଙ୍କ ବଦଳି ନୀତି ଉପରେ ବଡ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏନେଇ ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସରକାରଙ୍କ ଆଇନ୍ ଅନୁସାରେ, ଗୋଟିଏ ସ୍ଥାନରେ ୩ ବର୍ଷ ରହିବା ପରେ ସରକାରୀ କର୍ମଚାରୀ ବଦଳି ହେବା ପ୍ରକ୍ରିୟା ଭିତରକୁ ଚାଲିଆସନ୍ତି । ହେଲେ କଟକ ବଡ ମେଡିକାଲ କ୍ଷେତ୍ରରେ ଦେଖାଦେଇଛି ବ୍ୟତିକ୍ରମ । ୧୦ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି ୬୯ ଜଣ ଡାକ୍ତର । କାହିଁକି ଏମାନଙ୍କୁ ସରକାର ବଦଳି କରୁନାହାନ୍ତି, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏହାରି ଭିତରେ ଆନ୍ଦୋଳନର ଧମକ ଦେଇଛନ୍ତି କିଛି ଅନୁଷ୍ଠାନ ।

୨୦୧୩ରେ ରାଜ୍ୟ କ୍ୟାବିନେଟ୍ ଗୁୁରତ୍ୱପୂର୍ଣ୍ଣ ନିଷ୍ପତି ନେଇଥିଲା । ଯେତେବେଳେ ୩ ବର୍ଷ ପରେ କେବିକେରେ କାମ କରୁଥିବା ଡାକ୍ତରଙ୍କୁ ବଦଳି କରାଯିବ । ସରକାର ଆଶା ରଖିଥିଲେ, ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ଭିତରେ ପଛୁଆ ଅଂଚଳକୁ ଯିବାକୁ ଆଗ୍ରହ ବଢିବ । ନା ଏହାକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି, ନା କିଛି ଡାକ୍ତରଙ୍କ ସହରୀ ମୋହ ଭାଙ୍ଗୁଛି ।

ଗୋଟିଏ ପଟେ ସରକାରୀ ନୀତି ଆଉ ଆରପଟେ ନିୟମ ଭାଙ୍ଗିବାକୁ ପଇଁତରାବାଜି । ଏହାରି ଭିତରେ ଅଭିଯୋଗ ହୋଇଛି, ରାଜ୍ୟ ସରକାରଙ୍କ ବଦଳି ନୀତି ଧୀରେ ଧୀରେ ଅକାମି ହୋଇଗଲାଣି ।