ସ୍କୁଲ ଖୋଲିବା ପାଇଁ ଯୁକ୍ତି ରଖିଲେ ବରିଷ୍ଠ ଡାକ୍ତର ଓ ଶିକ୍ଷାବିତ୍ । କହିଲେ, କମୁଛି ପିଲାଙ୍କ ଆତ୍ମବିଶ୍ୱାସ, ବିଷାଦରେ ବିତୁଛି ସମୟ । ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ହେଲେ ପଛକୁ ଚାଲିଯିବ ଦେଶ ।

436

କନକ ବ୍ୟୁରୋ : କୋଭିଡ୍ କାଳରେ ବନ୍ଦ ରହିଛି ସ୍କୁଲ । ଅନଲାଇନରେ ଚାଲିଛି ପାଠପଢା । ସ୍କୁଲ ରାସ୍ତା ଭୂଲିଗଲେଣି ଅନେକ । କିନ୍ତୁ ସ୍କୁଲ ନଖୋଲିଲେ ଦେଶ ପଛକୁ ଚାଲିଯିବ ବୋଲି କହିଲେଣି ବିଶେଷଜ୍ଞ । ସ୍କୁଲ ଖୋଲିବା ପାଇଁ ପରାମର୍ଶ ଦେଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ଶିକ୍ଷାବିତ୍ । ହେଲେ ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏହି ପରାମର୍ଶ ଉପରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ।

ବରିଷ୍ଠ ଡାକ୍ତର ଓ ଶିକ୍ଷାବିତଙ୍କ ପରାମର୍ଶ । ସ୍କୁଲ ଖୋଲନ୍ତୁ ସରକାର । କମୁଛି ପିଲାଙ୍କ ଆତ୍ମବିଶ୍ୱାସ, ବିଷାଦ ଘେରରେ ରହୁଛନ୍ତି ଛାତ୍ରଛାତ୍ରୀ । କୋଭିଡ୍ କାଳରେ ସ୍କୁଲରେ ପଡିଛି ତାଲା, ଅନଲାଇନରେ ଚାଲୁଛି କ୍ଲାସ । ପରୀକ୍ଷା ନଦେଇ ପାସ୍ କରୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଏନେଇ ସତର୍କ କରାଇ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ଓ ବରିଷ୍ଠ ଶିକ୍ଷାବିତ୍ ।

ସେମାନେ କହିଛନ୍ତି, ସ୍କୁଲ ବନ୍ଦ ରହିଲେ ଦେଶ ବହୁ ପଛକୁ ଫେରିଯିବ । ୫୦ରୁ ଅଧିକ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଶୀଘ୍ର ସ୍କୁଲ ଖୋଲିବାକୁ ପରାମର୍ଶ ଦେଇଛନ୍ତି । ମୁମ୍ବାଇ ଆଇଆଇଟି, ଦିଲ୍ଲୀ ଆଇଆଇଟି, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ସମେତ ଡାକ୍ତର, ଆଇନଜୀବୀ ଓ ଅଭିଭାବକ ସ୍କୁଲ ଖୋଲିବା ପାଇଁ ନିବେଦନ କରିଛନ୍ତି । ଓଡିଶାର ଶିକ୍ଷାବିତ୍ ବି ଏଥିରେ ସମର୍ଥନ ଜଣାଇଛନ୍ତି ।

ସ୍କୁଲ ବନ୍ଦ ହେବା ସହ ସଟଡାଉନ୍, ଲକଡାଉନ୍ ଭଳି କଟକଣା ଥିବାରୁ ପିଲାମାନଙ୍କ ସମୟ ଘର ଭିତରେ ବିତୁଛି । ଏହା ପ୍ରଭାବରେ ଧିରେ ଧିରେ ସେମାନଙ୍କ ଭିତରେ ମାନସିକ ବିଷାଦ ବଢୁଛି । କେବଳ ଏତିକି ନୁହଁ ଆତ୍ମବିଶ୍ୱାସ କମିଯାଉଥିବାରୁ ଆତ୍ମହତ୍ୟା ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ତେବେ କଟକଣା ଭିତରେ ସ୍କୁଲ କଲେଜ ସମ୍ପୂର୍ଣ୍ଣ ଖୋଲିଦେଲେ ଏଭଳି ସମସ୍ୟା ହେବନାହିଁ ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଅନ୍ୟପଟେ ମେଦାନ୍ତର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ ସ୍କୁଲ ନଖୋଲିବାକୁ ଯୁୁକ୍ତି ବାଢିଛନ୍ତି ।

ଦିଲ୍ଲୀ ଓ ତାମିଲନାଡୁରେ ସେପ୍ଟେମ୍ବର ୧ ତାରିଖରୁ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିବାକୁ ଯାଉଛି । ରାଜସ୍ଥାନରେ ଗତ ଏପ୍ରିଲରୁ କ୍ଲାସ ଆରମ୍ଭ ହେଲାଣି । ମଧ୍ୟପ୍ରଦେଶରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଆସିବାକୁ ମିଳିଛି ଅନୁମତି । ସେହିପରି ଓଡିଶାରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ଯାଉଛନ୍ତି ।