ଛାତ୍ରୀମାନଙ୍କୁ ବର୍ଷାରେ ଭିଜି କଲେଜ ଯାଉଥିବାର ଦେଖିଲେ ଡାକ୍ତର ! ନିଜ ସଞ୍ଚିତ ଅର୍ଥରେ ଆରମ୍ଭ କଲେ ମାଗଣା ବସ୍ ସେବା, ଶିଶୁଙ୍କୁ ଦେଉଛନ୍ତି ମାଗଣା ଚିକିତ୍ସା ।

51

ଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଇଥାଏ । ଏମିତି ବି କିଛି ଡାକ୍ତର ରହିଛନ୍ତି ଯେଉଁମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ନିଜ ସଞ୍ଚିତ ଅର୍ଥରାଶି ଖର୍ଚ୍ଚ କରିବାକୁ ମଧ୍ୟ ପଛାଇନଥାନ୍ତି । ଏମିତି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଡାକ୍ତର । ରାଜସ୍ଥାନ ଅନ୍ତର୍ଗତ ଜୟପୁର ମହାନଗରୀ ଉପକଣ୍ଠସ୍ଥ ଏକ ଗ୍ରାମୀଣ ଅଞ୍ଚଳ କୋଟପୁତଲୀ । ଏଠାକାର ବାସିନ୍ଦା ଡ. ଆର ପି ଯାଦବ ଗରିବ ପରିବାରର ପଢ଼ୁଆ ଝିଅଙ୍କ ସେବାରେ ଉତ୍ସର୍ଗୀକୃତ । କିଛି ଦିନ ତଳେ ରାସ୍ତାରେ ବର୍ଷାରେ ଭିଜିଭିଜି କଲେଜ୍ ଯାଉଥିବା ଚାରି ଜଣ ଝିଅଙ୍କୁ ଦେଖିବା ପରେ ଛାତ୍ରୀଙ୍କ ସୁବିଧା ପାଇଁ ସେ ମାଗଣା ବସ୍ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ନିଜର ଭବିଷ୍ୟନିଧି ପାଣ୍ଠିରେ ଥିବା ସମସ୍ତ ୧୯ ଲକ୍ଷ ଟଙ୍କା ଉଠାଇ, ୫୨ଟି ସିଟ୍ ଥିବା ବସଟିଏ କିଣିଥିଲେ ।

ସଂପ୍ରତି ଚୂରୀ, ପାଓ୍ଵଲା, ରାମନଗର, କାୟମପୁରାବାସ ଓ ଭୋପାଲପୁରାର ଚଉବନ ଜଣ କଲେଜ୍ ଛାତ୍ରୀ, ତାଙ୍କ ବସରେ ଯିବା-ଆସିବା କରୁଛନ୍ତି । ଡ. ଯାଦବଙ୍କ ସେବା ମନୋବୃତ୍ତିକୁ ଦେଖି, ରାଜସ୍ଥାନ ସରକାରଙ୍କ ସଡ଼କ ପରିବହନ ବିଭାଗ, ତାଙ୍କ ପାଇଁ ସଡ଼କ ଟିକସ ଛାଡ଼ କରିଛି । ଡ. ଯାଦବ କୋଡ଼ିଏ ବର୍ଷ ତଳେ ନିଜର ଏକ ମାତ୍ର କନ୍ୟାକୁ ଏକ ଦୁର୍ଘଟଣାରେ ହରାଇଥିଲେ । ସେ କହନ୍ତି, ଝିଅର ପଢ଼ା ଓ ବିବାହ ଆଦି ବାବଦକୁ ଯାହା ଖର୍ଚ୍ଚ ହୋଇଥାଆନ୍ତା, ତାହା ଅନ୍ୟ ଝିଅଙ୍କ କାମରେ ଲାଗୁଛି । ସେ ଶିଶୁରୋଗ ବିଶେଷଜ୍ଞ। ଶିଶୁଙ୍କ ଚିକିତ୍ସା ବି ମାଗଣା କରୁଛନ୍ତି । ସମସ୍ତ କାର୍ୟ୍ୟରେ ସହଯୋଗ କରୁଛନ୍ତି, ପତ୍ନୀ ତାରାବତୀ ।