ମୃତ୍ୟୁ ପୂର୍ବରୁ ଡାକ୍ତରଙ୍କ ଶେଷ ଟୁଇଟ । ଲେଖିିଲେ କରୋନାରେ ମୃତ୍ୟୁ ହୋଇଥିବା ଶବର ହେବା କଥା ପରୀକ୍ଷା । ଏପରି ହେଲେ ମୃତ୍ୟୁର ଅସଲ କାରଣ ପାଖରେ ପହଞ୍ଚିପାରିବ ଚିକିତ୍ସା ବିଜ୍ଞାନ ।

2,713

କନକ ବ୍ୟୁରୋ: ରାଜ୍ୟର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଭାତ ନଳିନୀଙ୍କ କରୋନାରେ ଦେହାନ୍ତ ହୋଇଯାଇଛି । ତେବେ କରୋନାକୁ ନେଇ ସେ କରିଥିବା ଶେଷ ଟୁଇଟ ଏବେ ଚର୍ଚ୍ଚାରେ ରହିଛି । ଟୁଇଟରେ ସେ ଲେଖିଥିଲେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ଜଳାଇ ନଦେଇ ଗବେଷଣା କରିବା ପାଇଁ ସଂରକ୍ଷିତ ରଖିବା ଉଚିତ୍ । ଯାହାଦ୍ୱାରା କରୋନା ସଂକ୍ରମିତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । ତେବେ ଦୁର୍ଭାଗ୍ୟ ଏ ସଂପର୍କରେ ସେ ସ୍ୱର ଉଠାଇବା କିଛି ଦିନ ପରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ଡାକ୍ତର ପ୍ରଭାତ ନଳିନୀ ମହାନ୍ତି ହେଉଛନ୍ତି ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ । ଏ କ୍ଷେତ୍ରରେ ପ୍ରଭାତ ନଳିନୀଙ୍କ ବେଶ ନାଁ ରହିଛି । କରୋନାରେ ଆକ୍ରାନ୍ତ ହେବା ପରେ ସେ  ଆରପାରିକୁ ଚାଲିଯାଇଛନ୍ତି ହେଲେ ତାଙ୍କର ଶେଷ ଟ୍ୱିଟ ଏବେ ଚର୍ଚ୍ଚାକୁ ଆସିଛି । ସେହି ଟ୍ୱିଟରେ ପ୍ରଭାତ ନଳିନୀ ଲେଖିଛନ୍ତି, ଫୁସଫୁସ ଅକାମୀ ହୋଇଯିବା କାରଣରୁ କରୋନାରେ ବହୁ ସଂଖ୍ୟାରେ ମୃତ୍ୟୁ ହେଉଛି ଏବଂ ତରବରିଆ ଭାବେ ସେ ମୃତଦେହ ସବୁକୁ ପୋଡିଦିଆଯାଉଛି । ବରଂ ଏସବୁକୁ ଅଟୋପସି ଅର୍ଥାତ ଶବ ଗୁଡିକର ପରୀକ୍ଷଣ କରାଯିବା ଦରକାର । ତେବେ ଯାଇ ମୃତ୍ୟୁର ଅସଲ କାରଣ ପାଖରେ ଚିକିତ୍ସା ବିଜ୍ଞାନ ପହଞ୍ଚିପାରିବ ।

କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ହସପିଟାଲ ବେଡରୁ ମଧ୍ୟ ରୋଗୀଙ୍କ କଥା ବୁଝୁଥିଲେ ପ୍ରଭାତ ନଳିନୀ । ହେଲେ ତାଙ୍କର ମୃତ୍ୟୁ ପରେ ବି ପ୍ରଭାତ ନଳିନୀଙ୍କ ଏହି ଟ୍ୱିଟ ଅନେକ ଗୁରୁତ୍ୱ ରଖୁଛି । ହଠାତ ଏତେ କାହିଁକି ମୃତ୍ୟୁ ହେଲା ଏହାର କାରଣ କଣ, ସେ ବିଷୟରେ ମୃତ ଶରୀରକୁ ନେଇ କୌଣସି ପରୀକ୍ଷଣ କରାଗଲା ନାହିଁ ।