କରୋନା ମହାମାରୀ ବିରୋଧରେ ଭାରତର ଭୂମିକାକୁ ପ୍ରଶଂସା କଲେ ଆମେରିକାର ବୈଜ୍ଞାନିକ । ଡକ୍ଟର ପିଟର ହଟେଜ୍ କହିଲେ, ବିଶ୍ୱକୁ ବଂଚାଇଛି ଭାରତ ।

190

କନକ ବ୍ୟୁରୋ: ବିଶ୍ୱକୁ ବଂଚାଇଛି ଭାରତ । କରୋନା ମହାମାରୀଠାରୁ ସାରା ପୃଥିବୀର ଲୋକଙ୍କୁ ଭାରତ ବଂଚାଇ ପାରିଛି । କରୋନା ଟିକା ଏବଂ ଟିକା ବିତରଣକୁ ନେଇ ଏହି ବୟାନ ରଖିଛନ୍ତି ଆମେରିକାର ଜଣେ ବରିଷ୍ଠ ବୈଜ୍ଞାନିକ । ଅନେକ ଦେଶକୁ ଭାରତ ଟିକା ଦେଇଥିବା ବେଳେ ଆହୁରି ଅନେକ ଦେଶ ଭାରତକୁ ଟିକା ଦେବାକୁ ଅନୁରୋଧ କରୁଛନ୍ତି ।

ସେହିପରି ବିଶ୍ୱ ଫାର୍ମାସୀର ପ୍ରାଣକେନ୍ଦ୍ର ହେଉଛି ଭାରତ । ଔଷଧ ଏବଂ ଟିକା ସମ୍ପର୍କରେ ଭାରତର ଜ୍ଞାନ ଏବଂ ବିଶ୍ୱର ସବୁଠାରୁ ବଡ଼ ଔଷଧ ନିର୍ମାତା ଦେଶ ଭାବେ ଭାରତ ସାରା ପୃଥିବୀକୁ ମହାମାରୀ ସମୟରେ ବଂଚାଇଛି ବୋଲି କହିଛନ୍ତି- ଡକ୍ଟର ପିଟର ହଟେଜ୍ । ଆମେରିକାର ହୁଷ୍ଟନ୍ ସହରରେ ଥିବା ନ୍ୟାସନାଲ ସ୍କୁଲ ଅଫ୍ ଟ୍ରପିକାଲ ମେଡ଼ିସିନ୍ କଲେଜ୍ର ସେ ଡିନ୍ ଅଛନ୍ତି । କେବଳ ସେତିିକି ନୁହେଁ- ଔଷଧ ଗବେଷଣା କ୍ଷେତ୍ରରେ ସାରା ବିଶ୍ୱର ଜଣେ ଆଗୁଆ ବୈଜ୍ଞାନିକ । ତେଣୁ ତାଙ୍କ ବୟାନ୍ ଏହି ପରିପ୍ରେକ୍ଷୀରେ ବେଶ ଗୁରୁତ୍ୱ ରଖୁଛି ।

ଟିକା ନିର୍ମାଣ କ୍ଷେତ୍ରରେ ବିଶ୍ୱର ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ସଂସ୍ଥା ସହ ଅନୁବନ୍ଧିତ କରି, ଭାରତ ଟିକା ନିର୍ମାଣ ଦିଗରେ ଗବେଷଣା କରିଛି । ଯାହା ମହାମାରୀ ମୁକାବିଲା ଦିଗରେ ସହାୟକ ହୋଇଛି ବୋଲି ଡକ୍ଟର ହଟେଜ୍ କହିଛନ୍ତି । ବ୍ୟକ୍ତିଗତ ଭାବେ ଟିକା ନିର୍ମାଣ ଏବଂ ଟିକାକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ବୋଲି ସେ କହିଛନ୍ତି । କରୋନା ବିରୋଧରେ ଭାରତର ଲଢ଼େଇ ଏବଂ ସଫଳତାର କାହାଣୀ ସମ୍ପର୍କରେ ବିଶ୍ୱ ଅବଗତ ନଥିବା କହିଛନ୍ତି ଡକ୍ଟର ହଟେଜ୍ । ଏଠି ସୂଚନା ଦିଆଯାଇପାରେ ଯେ, ଶ୍ରୀଲଙ୍କା, ଭାରତ, ମାଲଦ୍ୱୀପ, ନେପାଳ, ମିଆଁମାର ଭଳି ଅନେକ ଦେଶକୁ ୫୬ ଲକ୍ଷରୁ ଅଧିକ ଡୋଜ୍ଟିକା ଦେଇସାରିଛି । ବଡ଼ କଥା ହେଉଛି ଭାରତର ଏହି ପ୍ରୟାସ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି । ଏମିତି କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖାଇଥିବା ରାସ୍ତାକୁ ଅନ୍ୟଦେଶମାନେ ଅନୁସରଣ କରିବେ ବୋଲି ଡବ୍ଲୁଏଚ୍ଓ ମୁଖ୍ୟ କହିଛନ୍ତି ।