ଭୁବନେଶ୍ୱରରେ ଜୀବନ ହାରିଲେ ଯୁବ ମହିଳା ଡାକ୍ତର ! ମୃତ୍ୟୁକୁ ନେଇ ବଢିଲା ରହସ୍ୟ, ଓଭରଡୋଜ ଇଞ୍ଜେକସନ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ ।

33

କନକ ବ୍ୟୁରୋ : ରାଜଧାନୀରେ ଯୁବ ମହିଳା ଡାକ୍ତରଙ୍କ ରହସ୍ୟଜନକ ମୃତ୍ୟୁ । ଭଡ଼ା ଘରୁ ମିଳିଛି ଡାକ୍ତର ମନସ୍ୱିନୀ ବାରିକଙ୍କ ମୃତଦେହ । ସର୍ଜରୀ ସମୟରେ ଯେଉଁ ଇଂଜେକସନ ନିଆଯାଏ, ତା’ର ଓଭରଡୋଜ ନେଇ ଡାକ୍ତରାଣୀ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ତେବେ ମୃତ୍ୟୁ ପଛର ରହସ୍ୟ କ’ଣ ତାହା ଏବେ ବଡ଼ ରହସ୍ୟ ଭିତରକୁ ଠେଲି ହୋଇଯାଇଛି ।

କିପରି ଜୀବନ ହାରିଲେ ମହିଳା ଡାକ୍ତର? କ’ଣ ରହିଛି ମୃତ୍ୟୁ ପଛର ରହସ୍ୟ । ଭୁବନେଶ୍ୱରରେ ଜଣେ ଯୁବ ଡାକ୍ତରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ରାଜଧାନୀରେ ଖେଳିଯାଇଛି ଚାଂଚଲ୍ୟ ।  ଚନ୍ଦ୍ରଶେଖରପୁର ଶ୍ରୀବିହାରରେ ଏକ ଭଡ଼ା ଘରୁ ମିଳିଛି ଡାକ୍ତର ମନସ୍ୱିନୀ ବାରିକଙ୍କ ମୃତଦେହ । ଏକ ଘରୋଇ ହସପିଟାଲରେ କାମ କରୁଥିଲେ ହେମିଓପାଥି ଡାକ୍ତର ମନସ୍ୱିନୀ ।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମୃତଦେହ ନିକଟରୁ ମିଳିଛି ଇଞ୍ଜେକସନ୍ ସିରିଞ୍ଜ । ସଂଦେହ କରାଯାଉଛି, କୌଣସି ବିଷାକ୍ତ ଇଂଜେକସନ୍ ନେଇ ମନସ୍ୱିନୀ ଆତ୍ମହତ୍ୟା କରିଛନ୍ତି । ପଡୋଶୀମାନଙ୍କ କହିବା କଥା ବେଶ ଖୁସମିଜାଜର ଝିଅ ଥିଲେ ମନସ୍ୱିନୀ । କୌଣସି ଘଟଣାରେ ବିବ୍ରତ ଥିବା ଭଳି ମଧ୍ୟ ଜଣା ପଡୁନଥିଲେ । ବରଗଡ଼ରେ ଥିବା ତାଙ୍କ ଭାଇ ଫୋନ କରି ଜଣାଇବା ପରେ କବାଟ ଭାଙ୍ଗି ଦେଖିବା ବେଳେ ବେଡରେ ପଡିଥିଲା ମନସ୍ୱିନୀଙ୍କ ମୃତଦେହ ।

ମନସ୍ୱିନୀଙ୍କ ଘର ବରଗଡ଼ର ମେଲଛାମୁଣ୍ଡା । ତାଙ୍କ ଭାଇଙ୍କ ସହ ରହୁଥିଲେ ଭୁବନେଶ୍ୱରରେ । ନୂଆଖାଇ ପାଇଁ ମନସ୍ୱିନୀଙ୍କ ଭାଇ ବରଗଡ ଯାଇଥିବା ବେଳେ ଘଟିଛି ଏପରି ଅଘଟଣ । ଜାଣିବାକୁ ମିଳୁଛି, ଦୁଇ ବର୍ଷ ତଳେ ଡାକ୍ତର ମନସ୍ୱନୀ ବିବାହ କରିଥିଲେ ଓ କିଛି ମାସ ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ତାଙ୍କର ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ ଚାହୁଁଥିବା ବେଳେ ଜୀବନ ହାରିଛନ୍ତିି ମନସ୍ୱିନୀ । ପୋଲିସ ଘଟଣାସ୍ଥଳରେ ପହଁଚି ଆରମ୍ଭ କରିଛି ତନାଘନା । ଶବ ବ୍ୟବଚ୍ଛେଦ ପରେ ଖୋଲିବ ମନସ୍ୱିନୀଙ୍କ ମୃତ୍ୟୁର କାରଣ ।