ଚିକିତ୍ସା ପାଇଁ ଆସିଥିବା ପୋଲିସଙ୍କୁ ଡାକ୍ତରଙ୍କ ଅଶାଳୀନ ବ୍ୟବହାର : ମାରିପକାଇବାକୁ ଦେଲେ ଧମକ

ଆହତ ପୋଲିସ କନେଷ୍ଟବଳଙ୍କୁ ଚିକିତ୍ସା ପାଇଁ ଆଣିଥିଲେ ସାଥୀ କର୍ମଚାରୀ; ଥାନାରେ ଏତଲା ପରେ ଡାକ୍ତର ଫେରାର

459

କନକ ବ୍ୟୁରୋ : ପୋଲିସକୁ ଡାକ୍ତରଙ୍କ ଅଶାଳୀନ ବ୍ୟବହାର । ଅଭଦ୍ର ଭାଷାରେ ଗାଳି ଗୁଲଜ କଲେ, ମାଡ ମାରିବାକୁ ହାତ ଉଠାଇଲେ । କିଛି ସମୟ ପାଇଁ ହସ୍ପିଟାଲରେ ପରିସରରେ ଚାଲିଲା ଡାକ୍ତରଙ୍କ ଦାଦାଗିରି । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଆହତ ହାବିଲଦାର ଧ୍ରୁବ ଚରଣ ବେହେରାଙ୍କୁ ପିସିଆର ଭ୍ୟାନରେ ହସ୍ପିଟାଲକୁ ନେଇ ଯାଇଥିଲେ ପୋଲିସ କର୍ମଚାରୀ । ଏହି ସମୟରେ ହଠାତ୍ ଉତକ୍ଷିପ୍ତ ହୋଇପଡ଼ିଥିଲେ ଡାକ୍ତର ସ୍ୱାଧୀନ ରଥ । ପିସିଆର ଭ୍ୟାନ୍ ପାଖକୁ ଆସି ପୋଲିସ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।

କେବଳ ଏତିକିରେ ଥମି ନଥିଲା ଡାକ୍ତରଙ୍କ ରାଗ । ସର୍ବସାଧାରଣରେ ପୋଲିସ କର୍ମଚାରୀଙ୍କୁ ମାଡି ମାରିବା ପାଇଁ ବାରମ୍ବାର ହାତ ଉଠାଇଥିଲେ । ହସ୍ପିଟାଲ ପରିସରରେ ଥିବା ଲୋକେ ଓ ହସ୍ପିଟାଲ କର୍ମଚାରୀ ଡାକ୍ତର ବାବୁଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ବାବୁଙ୍କ ରାଗ ପଂଚମକୁ ଉଠିଯାଇଥିଲା । ରାଗିପାଚି ନାଲି ପଡିଯାଇଥିଲେ ଡାକ୍ତର । କାହା କଥା ଶୁଣିବାକୁ ରାଜିନଥିଲେ ଡାକ୍ତର ସ୍ୱାଧୀନ ରଥ । ବାରମ୍ବାର ପୋଲିସ ଭ୍ୟାନ୍ ପାଖକୁ ଆସି ଅଭଦ୍ର ଭାଷାରେ ଗାଳି କରିବା ସହ ପୋଲିସ କର୍ମଚାରୀଙ୍କ ମାଡ ମାରିବା ପାଇଁ ହାତ ଉଠାଇଥିଲେ ।

ମାରି ଦେବାକୁ ଧମକ ଦେଇଥିଲେ । ଜୀବନ ବଂଚାଉଥିବା ଡାକ୍ତର ଏଠି ଦେଉଛନ୍ତି ମାରିଦେବାର ଧମକ । ପୋଲିସକୁ କୋଭିଡ୍-୧୯ର ନିୟମ ଶିଖାଇଥିଲେ । ଯୁକ୍ତି କରିଥିଲେ ପିସିଆର ଭ୍ୟାନରେ କାହିଁକି ଆଗରେ ବସିଛ । ଏନେଇ ହାବିଲଦାର ଧ୍ରୁବ ଚରଣ ବେହେରା ଟାଉନ୍ ଥାନାରେ ମାମଲା ରୁଜୁ କରିଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି । ଘଟଣା ପରଠାରୁ ଡାକ୍ତର ସ୍ୱାଧୀନ ରଥ ଫେରାର ହୋଇଯାଇଥିବା ଜଣାପଡ଼ିଛି ।