ଗିରଫ ଡାକ୍ତରଙ୍କ ଫିଟୁଛି ଗୁମର : କେଉଁଠୁ ଆସିଲା ଡଲାର ? ସିବିଆଇର ତଦନ୍ତକାରୀ ଟିମର ଖୋଳତାଡ

67

କନକ ବ୍ୟୁରୋ : ଗିରଫ ଡାକ୍ତରଙ୍କ ଫିଟୁଛି ଗୁମର । ଡାକ୍ତରଙ୍କ ଠାରୁ ଜବତ ହୋଇଥିବା ୨୦ହଜାର ୫୫୮ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୧୭ଲକ୍ଷ ଟଙ୍କାକୁ ନେଇ ଚାଲିଛି ଖୋଳତାଡ଼ । କେଉଁ ଉପାୟରେ ଡାକ୍ତର ଜଣକ ୨୦ହଜାର ୫୫୮ଡଲାର ସଂଗ୍ରହ କରିଥିଲେ ସେନେଇ ତଦନ୍ତ ଚଳାଇଛି ସିବିଆଇର ତଦନ୍ତକାରୀ ଟିମ୍ । ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ଲାଞ୍ଚ ଆକାରରେ ଡଲାର ନେଉଥିବା ସିବିଆଇ ସନ୍ଦେହ କରୁଛି । ଏପରିକି ପୂର୍ବରୁ ବହୁ ପରିମାଣର ଡଲାର ନେଇ ତାକୁ ଭାରତୀୟ ମୁଦ୍ରାରେ ବଦଳ କରି ବ୍ୟାଙ୍କରେ ଜମା ରଖିଥିବା ସନ୍ଦେହ କରାଯାଉଛି । ଜବତ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଗାଯାଇଥିବା ସୂଚନା ମିଳିଛି ।

ଏହା ସହ ଗିରଫ ଡାକ୍ତରଙ୍କ ଭଏସ୍ ନମୂନା ସଂଗ୍ରହ କରାଯାଇଛି । ଲାଞ୍ଚ ମାଗିବା ସମୟରେ ମୋବାଇଲ ଫୋନ୍ ବାର୍ତ୍ତାଳାପର ଅଭିଯୋଗକାରୀ ଯେଉଁ ରେକର୍ଡିଂ କରିଥିଲେ, ତାକୁ ମେଳ କରିବା ପାଇଁ ଭଏସ୍ ସାମ୍ପୁଲ ସଂଗ୍ରହ କରାଯାଇଛି । ଏହାକୁ ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ଫରେନସିକ ସାଇନ୍ସ ଲାବ୍ରୋଟୋରୀକୁ ପଠାଯିବ । ସେଠାରୁ ରିପୋର୍ଟ ଆସିବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦାଖଲ କରାଯିବ । ବହୁ ପରିମାଣର ଟଙ୍କା ଓ ସମ୍ପତି ମିଳିଥିବାରୁ ଅଧିକ ତଦନ୍ତ ଲାଗି ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ପୁଣି ୩ଦିନ ରିମାଣ୍ଡରେ ନେଇଛି ସିବିଆଇ । ସୋମବାର ଦିନ ପୁଣି ଗିରଫ ଡାକ୍ତରଙ୍କୁ କୋର୍ଟରେ ହାଜର କରାଯିବ ।