କନକ ବ୍ୟୁରୋ: ସରକାରୀ ଡାକ୍ତରଖାନାରେ ପ୍ରେସକ୍ରିପସନ ଲେଖିବାକୁ ଡାକ୍ତର ନେଉଛନ୍ତି ଫି’ । ଜରୁରୀକାଳୀନ ୱାର୍ଡରେ ରୋଗୀ ଦେଖିବା ନାଁରେ ଡାକ୍ତର ନେଉଛନ୍ତି ହାତଗୁଞ୍ଜା । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଗୋପାଳପୁର ଡାକ୍ତରଖାନାରୁ ।
୧୦୦ ଟଙ୍କା ଦେଲେ ରୋଗୀ ଦେଖୁଛନ୍ତି ଡାକ୍ତର ଅମର କୁମାର ଓଝା । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି । କ୍ୟାମେରାରେ ଟଙ୍କା ନେବାର ଚିତ୍ର କଏଦ ହୋଇଛି । ଡାକ୍ତର ଜଣଙ୍କୁ କାହିଁକି ଟଙ୍କା ନେଉଛନ୍ତି ପଚରାଯିବାରୁ ଡାକ୍ତର ଜଣଙ୍କ କହୁଛନ୍ତି, ଜରୁରୀକାଳୀନ ୱାର୍ଡରେ ଗୋଟିଏ ଦିନରେ ୪୦୦ରୁ ଅଧିକ ରୋଗୀ ସେ ଦେଖିଲେଣି । ରୋଗୀ ଦେଖିବା ପାଇଁ ଟଙ୍କା ନେବାର ନିୟମ ନାହିଁ । କିନ୍ତୁ ସରକାର କଣ ସବୁ ନିୟମ ପାଳନ କରିପାରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଗୋପାଳପୁରର ଏହି ସରକାରୀ ହସ୍ପିଟାଲ ଉପରେ ଆଖାପାଖର ଲୋକେ ନିର୍ଭର କରନ୍ତି। ପ୍ରତିଦିନ ପାଖାପାଖି ୩୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଏହି ସରକାରୀ ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି ।