ମୃତ୍ୟୁ ପରେ ଲାଞ୍ଚ ମାଗିଲେ ଡାକ୍ତର : ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନ୍ସ

୪୦ ହଜାର ନଦେଲେ ସାପ କାମୁଡା ବଦଳରେ ବିଷ ପିଇ ମୃତ୍ୟୁ ହୋଇଥିବା ରିପୋର୍ଟ ଦେବେ ବୋଲି ଦେଇଥିଲେ ଧମକ

374

କନକ ବ୍ୟୁରୋ : ଲାଞ୍ଚ ନଦେଲେ ରିପୋର୍ଟ ବଦଳାଇ ଦେବାକୁ ଧମକ । ଏପରିକି ସାପକାମୁଡ଼ାରେ ମୃତ୍ୟୁବରଣ କରିଥିବା ଜଣେ ଯୁବକଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ବିଷପିଇ ଆତ୍ମହତ୍ୟା କରିଥିବା ରିପୋର୍ଟ ଦର୍ଶାଇବାକୁ ମଧ୍ୟ ଧମକ ଦେଇଥିଲେ ଜଣେ ଡାକ୍ତର । ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଦେବୀଦତ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଖବର ଅନୁସାରେ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗାଁର ରଘୁନାଥ ମାର୍ଣ୍ଡି ଗତମାସ ୨୪ରେ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ । ପରେ ଶବବ୍ୟବଚ୍ଛେଦ ନିମନ୍ତେ ମୃତକଙ୍କୁ ପିଆରଏମ୍ ଅଣାଯାଇଥିଲା । ସେଠାରେ ଡାକ୍ତର ପାତ୍ର ମୃତକଙ୍କ ବ୍ୟବଚ୍ଛେଦ କରିଥିଲେ । ଚଳିତ ସପ୍ତାହରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଣିବାକୁ ମୃତକଙ୍କ ଭଉଣୀ ସୁଦେବୀ ଟୁଡୁ ପିଆରଏମ୍ ଆସି ଡାକ୍ତର ପାତ୍ରଙ୍କୁ ଭେଟିଥିଲେ । ମାତ୍ର ରିପୋର୍ଟ ପାଇଁ ୪୦ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଡାକ୍ତର କହିଥିବା ସୁଦେବୀ ଅଭିଯୋଗ କରିଛନ୍ତି । ସାପ କାମୁଡ଼ା ମୃତକଙ୍କ ପରିବାରକୁ ୪ଲକ୍ଷ ମିଳିବ । ତେଣୁ ତାଙ୍କୁ ୪୦ ହଜାର ଦେବାକୁ ପଡ଼ିବ ବୋଲି ଡାକ୍ତର ପାତ୍ର ମୃତକଙ୍କ ଭଉଣୀଙ୍କୁ କହିଥିବା ଅଭିଯୋଗ ହୋଇଛି । ଟଙ୍କା ନଦେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ବିଷ ଖାଇ ମୃତ୍ୟୁବରଣ କରିଥିବା ଦେଖେଇଦେବେ ବୋଲି ଡାକ୍ତର ଦେବୀଦତ୍ତ ପାତ୍ର ଧମକ ଦେଇଥିଲେ ।

ଏନେଇ ଡାକ୍ତର ଶ୍ରୀ ପାତ୍ର ମୃତକଙ୍କ ଭଉଣୀ ଭିଣୋଇଙ୍କୁ ବାରିପଦା ଡାକି କଥା ହୋଇଥିଲେ। ଶେଷରେ ୨୦ହଜାରରେ ମାମଲା ଛିଣ୍ଡିଥିଲା । ତେବେ ଏହି ଘଟଣା ସମ୍ପର୍କରେ ମୃତକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ବାଲେଶ୍ବର ଭିଜିଲାନ୍ସକୁ ସୂଚନା ଦିଆଯାଇଥିଲା । ତଦନୁଯାୟୀ ମୃତକଙ୍କ ଭଉଣୀ ଡାକ୍ତର ପାତ୍ରଙ୍କୁ ରଙ୍ଗାମାଟିଆ ନିକଟରେ ୨୦ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ । ସୂଚନାଯୋଗ୍ୟ ଡାକ୍ତର ଏମିତି ରିପୋର୍ଟ ଦେବାକୁ ଏକାଧିକ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଡାକ୍ତର ଜଣଙ୍କ ତାଙ୍କର ନୂତନ ପୋଷ୍ଟିଂ ପାଇଁ ପିଆରଏମ୍‌ରୁ ରିଲିଭ୍ ହୋଇଯାଇଥିବା ଜଣାପଡ଼ିଛି । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଡାକ୍ତର ଜଣଙ୍କ ଅସୁସ୍ଥ ଅନୁଭବ କରିବା ସହିତ ତାଙ୍କୁ ତୁରନ୍ତ ଅକ୍ସିଜେନ୍ ଦେବାକୁ କହିଥିଲେ । ତେଣୁ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ପିଆରଏମ ଅଣାଯାଇଥିଲା । ମାତ୍ର ଡାକ୍ତରୀ ପରୀକ୍ଷା ପରେ ସେ ଠିକ୍ ଥିବା ଜଣାପଡ଼ିବା ପରେ ତାଙ୍କୁ ବାଲେଶ୍ବର ନିଆଯାଇଥିଲା।