ଜନ୍ମ କରାଇଲେ ମାରିଦେଲେ ! ଭବିଷ୍ୟବାଣୀ ଭୁଲ ହେବାରୁ ରାଗିଗଲେ ଡାକ୍ତର, ନବଜାତ ଶିଶୁର ଗୁପ୍ତାଙ୍ଗ କାଟିଲେ ।

55

ଅମାନବିକତାର ସମସ୍ତ ସୀମା ପାର କରିଦେଇଛନ୍ତି ଝାରଖଣ୍ଡର ଜଣେ ଡାକ୍ତର । ଝାରଖଣ୍ଡ ଚତରା ଜିଲ୍ଲାରେ ଜଣେ ଡାକ୍ତର ଏକ ନବଜାତ ଶିଶୁର ଗୁପ୍ତାଙ୍ଗ କାଟିଦେଇଛନ୍ତି । ତେବେ ଏପରି କରିବାର କାରଣ ହେଉଛି, ସେ ନିଜ କ୍ଲିନିକରେ କରାଯାଇଥିବା ଅଲଟ୍ରାସାଉଣ୍ଡ ରିପୋର୍ଟକୁ ସତ୍ୟ ପ୍ରମାଣିତ କରିବାକୁ ଚାହୁଁଥିଲେ । ତେବେ ଡାକ୍ତରଙ୍କ ଏଭଳି ପାଗଳାମି ଦ୍ୱାରା ଶିଶୁଟିର ମୃତ୍ୟୁ ହୋଇଯାଇଛି । ତେବେ ଶିଶୁଟିର ବାପା ମାଙ୍କ ଅଭିଯୋଗ ଆଧାରରେ ଡାକ୍ତରଙ୍କ ବିରୋଧରେ ଏତଲା ଦାୟର କରାଯାଇଛି । କିନ୍ତୁ ପୋଲିସ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଡାକ୍ତର ଜଣଙ୍କ ଫେରାର ହୋଇଯାଇଥିଲେ ।

ଡାକ୍ତରଙ୍କ ବିରୋଧରେ ଦୁଇ ଦୁଇଟି ସଙ୍ଗୀନ ଅଭିଯୋଗ ଆଧାରରେ ଏତଲା ଦାୟର କରାଯାଇଛି । ପ୍ରଥମଟି ବାପା ମାଙ୍କ ଅଭିଯୋଗ ଆଧାରରେ ହୋଇଥିବା ବେଳେ ଅନ୍ୟଟି ଗର୍ଭ ନିରୂପଣ କରିବା ବେଆଇନ ହୋଇଥିବା ବେଳେ ସମ୍ପୃକ୍ତ ଡାକ୍ତର ନିଜ କ୍ଲିନିକରେ ଗର୍ଭ ନିରୂପଣ କରୁଥିଲେ । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଆହୁରି ଅନେକ ସତ୍ୟ ସାମ୍ନାକୁ ଆସିଛି । ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ଡାକ୍ତର ଜଣେ ଠକ ଅଟନ୍ତି । ଏବଂ ନବଜାତ ଶିଶୁଟିର କୌଣସି ଅଲଟ୍ରାସାଉଣ୍ଡ କରାଯାଇନଥିଲା । ଏହା ଛଡା ପରିବାରବର୍ଗ ଅଭିଯୋଗ କରିଛନ୍ତି ଯେ, ନବଜାତ ଶିଶୁଟିର ମାଙ୍କୁ ଗର୍ଭ ସହ ଯୋଡିହୋଇଥିବା କୌଣସି ସମସ୍ୟା ନଥିଲା । କିନ୍ତୁ ଏହା ପରେ ମଧ୍ୟ ଡାକ୍ତର ସିଜରିଆନ ଡେଲିଭରି କରାଇଥିଲେ । ତେବେ ପୋଲିସ ଉକ୍ତ କ୍ଲିନିକକୁ ସିଜ କରିଛି ।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଅନିଲ ପାଣ୍ଡାଙ୍କ ସ୍ତ୍ରୀଙ୍କୁ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତର ଅନୁଜ କୁମାରଙ୍କ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ଅପରେଶନ ହେବା ପୂର୍ବରୁ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା । ଅଲଟ୍ରାସାଉଣ୍ଡ ଅନୁଯାୟୀ, ଗର୍ଭରେ ଥିବା ଶିଶୁଟି ଏକ କନ୍ୟା ଅଟେ ।

କିନ୍ତୁ କିଛି ସମୟ ପରେ ଯେତେବେଳେ ମା ଶିଶୁଟିକୁ ଜନ୍ମ ଦେଇଥିଲେ, ଶିଶୁଟି ଏକ ପୁଅ ଥିଲା । ଡାକ୍ତର ନିଜ କ୍ଲିନିକର ଅଲଟ୍ରାସାଉଣ୍ଡ ରିପୋର୍ଟକୁ ସତ ପ୍ରମାଣିତ କରିବା ପାଇଁ ନବଜାତ ଶିଶୁଟିର ଗୁପ୍ତାଙ୍ଗ କାଟିଦେଇଥିଲେ । କିଛି ସମୟ ମଧ୍ୟରେ ହିଁ ଶିଶୁଟି ମରିଯାଇଥିଲା । ତେବେ ନବଜାତ ଶିଶୁଟିର ବାପା ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କ ସ୍ତ୍ରୀ ଓ ମା କାନ୍ଦୁଥିବାର ଦେଖିଥିଲେ । ପୁରା ଘଟଣା ଜାଣିବା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।