କନକ ବ୍ୟୁରୋ : ପେଶାରେ ଡାକ୍ତର, ହେଲେ କୁବେର ଭଳି ଧନୀ । କୁହାଯାଏ, ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ । କାରଣ ଲୋକଙ୍କ ଜୀବନ ରକ୍ଷା କରିଥାନ୍ତି ଏମାନେ । ଲୋକଙ୍କ ଶେଷ ଭରସା ଥାଏ ଡାକ୍ତରଙ୍କ ଉପରେ । ହେଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନା, ଏହି ଭରସାକୁ କରି ଦେଇଥିଲେ ବ୍ୟବସାୟ । ଅଭିଯୋଗ ହୋଇଛି, ଅପରେସନ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ସଂପର୍କୀୟଙ୍କ ଠାରୁ ମୋଟା ଆକାରରେ ଲାଞ୍ଚ ନିଅନ୍ତି । ଅପରେସନ୍ ପାଇଁ ୮ ହଜାର ଟଙ୍କା ନେଉଥିବା ବେଳେ ଧରା ପଡ଼ିଛନ୍ତି ଭିଜିଲାନ୍ସ ହାତରେ ।

Advertisment

ଡାକ୍ତର ସୁକାନ୍ତ ଜେନାଙ୍କ ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ବାସଭବନରୁ ମିଳିଛି ପୁଳା ପୁଳା ଟଙ୍କା । ଚଢ଼ାଉ ବେଳେ ୧ କୋଟି ୧୩ ଲକ୍ଷ ନଗଦ ଟଙ୍କା ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । ରାତି ସାରା ରେଡ୍ କରି ଭିଜିଲାନ୍ସ ଠାବ କରିଛି ଅମାପ ସମ୍ପତ୍ତି । ୪୪ ଲକ୍ଷ ଟଙ୍କାର ବୀମା, ତିନିଟି ମୂଲ୍ୟବାନ ପ୍ଳଟ, ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ କୋଠା, ପୁରୀରେ ଏକ ଆପାର୍ଟମେଣ୍ଟରେ ନିବେଶ କରିଥିବା ସାମ୍ନାକୁ ଆସିଛି । ଏକ ନର୍ସିଂହୋମ ଖୋଲିବାକୁ ଯୋଜନା କରିଥିଲେ ସୁକାନ୍ତ । ତେବେ ତାଙ୍କର ଏହି ସ୍ୱପ୍ନକୁ ଭାଙ୍ଗିଦେଇଛି ଭିଜିଲାନ୍ସ ଚଢ଼ାଉ ।

ପୁରୀ ଜିଲ୍ଲା ନିମାପଡ଼ା ଚାରି ଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିଲେ ଡାକ୍ତର ସୁକାନ୍ତ ଜେନା । ସରକାରୀ ଡାକ୍ତରଖାନାରେ ଚାକିରି କରି ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ଆସିବାରୁ ପ୍ରାୟ ଏକ ବର୍ଷ ଧରି ତାଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ । ତେବେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି । କାରଣ ଡାକ୍ତର ଚାକିରିରେ ଲାଞ୍ଚ ନେଇ ଏତେ ଟଙ୍କା ସେ ଠୁଳ କରିଥିଲେ, ନା’ ଏଥିରେ ଲୁଚି ରହିଛି ମନି ଲଣ୍ଡରିଂର ରହସ୍ୟ । ନିର୍ବାଚନ ସମୟ ହୋଇଥିବାରୁ କେଉଁ ରାଜନୈତିକ ଦଳର ସେ ହାତବାରିସି ସାଜିଥିଲେ କି ? ଭିଜିଲାନ୍ସ ଯେହେତୁ ମନି ଲଣ୍ଡରିଂ ଉପରୁ ପରଦା ହଟାଇ ପାରିବନି, ଏହାକୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଇବାକୁ ସୁପାରିସ୍ କରିବ କି ?