କନକ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର କରୋନା ଗ୍ରାଫରୁ ଜଣାପଡୁଛି ଯେ, ଜୁଲାଇ ମାସରେ ସଂକ୍ରମଣ ହାର ୩ ପ୍ରତିଶତ ତଳେ ରହିଥିଲେ ବି ଜୁନ ମାସ ଆରମ୍ଭରେ ଏହା ଯେପରି ଭାବେ ହ୍ରାସ ପାଉଥିଲା, ସେହିଭଳି ଗତିରେ ତଳକୁ ଖସୁନାହିଁ ସଂକ୍ରମଣ । ଭାରତରେ କରୋନା ଦ୍ୱିତୀୟ ଲହର ଶୀର୍ଷକୁ ଯାଇ ତଳକୁ ଖସିଥିଲେ ବି କରୋନା ଗ୍ରାଫ୍ ମୋଟା ଲାଞ୍ଜ ଦେଇ ଗତି କରୁଛି । ପ୍ରଥମ ଲହର ଯେପରି ପାଟର୍ନରେ ହ୍ରାସ ପାଇଥିଲା, ଦ୍ୱିତୀୟ ଲହରରେ ସେପରି ଭାବେ ହ୍ରାସ ପାଇବା ଦେଖିବାକୁ ମିଳିନାହିଁ ।
ଦେଶର ବିଶିଷ୍ଟ ବୈଜ୍ଞାନିକ ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ବିପିନ ଶ୍ରୀବାସ୍ତବ ଦାବି କରିଛନ୍ତି, ଦେଶରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି । ଦୈନିକ ସଂକ୍ରମଣ, ଦୈନିକ ମୃତ୍ୟୁ ଏବଂ ପ୍ରତିଦିନ ସୁସ୍ଥ ସଂଖ୍ୟାର ପାଟର୍ନକୁ ଅନୁଶୀଳନ କରି ଏପରି ଯୁକ୍ତି ବାଢିଛନ୍ତି ଡକ୍ଟର ବିପିନ ଶ୍ରୀବାସ୍ତବ । ସେ କହିଛନ୍ତି ଜୁଲାଇ ୪ ତାରିଖରୁ କରୋନାର ତୃତୀୟ ଲହର ଚାଲିଆସିଛି ।
ଗତ ୧୫ ମାସ ଧରି ପ୍ରତିଦିନର ତଥ୍ୟ ଆଧାରରେ କରୋନା ସଂକ୍ରମଣ ନେଇ ଗବେଷଣା କରୁଛନ୍ତି ବୈଜ୍ଞାନିକ ଡକ୍ଟର ବିପିନ ଶ୍ରୀବାସ୍ତବ । ସେ କହିଛନ୍ତି ଗତ ଫେବ୍ରୁଆରି ମାସରେ ଦ୍ୱିତୀୟ ଲହର ଆରମ୍ଭ ହେବା ବେଳେ ଯେଉଁ ପାଟର୍ନ ଦେଖା ଦେଇଥିଲା, ସେହି ପାଟର୍ନ ଦେଇ ଗତି କରୁଛି କରୋନା ।
ଡକ୍ଟର ବିପିନ ଶ୍ରୀବାସ୍ତବଙ୍କ ମତରେ ଫେବ୍ରୁଆରି ମାସରେ ଦୈନିକ ସଂକ୍ରମଣ, ଦୈନିକ ମୃତ୍ୟୁ ଓ ପ୍ରତିଦିନର ସୁସ୍ଥ ସଂଖ୍ୟାର ପାର୍ଟନ ସହ ବର୍ତ୍ତମାନର ପାଟର୍ନ ମେଳ ଖାଉଛି । ଜୁଲାଇ ମାସରେ ଦେଶର କରୋନା ମିଟର ସାମାନ୍ୟ ଉପର ତଳ ହୋଇ ଗତି କରୁଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମ ବେଶୀ ହୋଇ ଗତି କରୁଛି । ମୃତ୍ୟୁ ସଂଖ୍ୟା ମଧ୍ୟ ନିର୍ଦ୍ଦିଷ୍ଟ ରେଞ୍ଜ ଭିତରେ ରହୁଛି । ଜୁନ ମାସରେ ଯେପରି ତଳମୁହାଁ ହେଉଥିଲା ସେପରି ଦେଖିବାକୁ ମିଳୁନାହିଁ । ବିଶେଷ କରି ପ୍ରତିଦିନର ମୃତ୍ୟୁକୁ ନେଇ ମଡେଲ ତିଆରି କରିଛନ୍ତି ଡକ୍ଟର ଶ୍ରୀବାସ୍ତବ । ଆଉ ଏହାରି ଆଧାରରେ ସେ ଆକଳନ କରିଛନ୍ତି ଜୁଲାଇ ୪ ତାରିଖକୁ ତୃତୀୟ ଲହରର ପ୍ରଭାବ ଦେଶରେ ପଡିଛି ।
ଭାରତ କରୋନା ମିଟର
ତାରିଖ ନୂଆ ଆକ୍ରାନ୍ତ ମୃତ୍ୟୁ
- ୪ ଜୁଲାଇ ୪୩,୦୭୧ ୯୫୫
- ୫ ଜୁଲାଇ ୩୯,୭୯୬ ୭୨୩
- ୬ ଜୁଲାଇ ୩୪,୭୦୩ ୫୫୩
- ୭ ଜୁଲାଇ ୪୩,୭୩୩ ୯୩୦
- ୮ ଜୁଲାଇ ୪୫,୮୯୨ ୮୧୭
- ୯ ଜୁଲାଇ ୪୩,୩୯୩ ୯୧୧
- ୧୦ ଜୁଲାଇ ୪୨,୭୬୬ ୧୨୦୬
- ୧୧ ଜୁଲାଇ ୪୧,୫୦୭ ୮୯୫
- ୧୨ ଜୁଲାଇ ୩୭,୧୫୪ ୭୨୪
ଦେଶରେ ପ୍ରତିଦିନର ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାକୁ ନେଇ ବୈଜ୍ଞାନିକ ବିପିନ ଶ୍ରୀବାସ୍ତବ ମଡେଲ ପ୍ରସ୍ତୁତ କରିଛନ୍ତି । ତେବେ ବଡ଼କଥା ହେଉଛି, ପ୍ରତିଦିନ ଯେତିକି ମୃତ୍ୟୁ ରେକର୍ଡ ହେଉଛି, ତାହା ୨୪ ଘଣ୍ଟାର ମୃତ୍ୟୁ ନୁହେଁ । ଅଡିଟ୍ ପରେ ରାଜ୍ୟ ସରକାର ଏହାକୁ ଧିରେ ଧିରେ ପ୍ରକାଶ କରୁଛନ୍ତି । ତାହା କେତେ ଗ୍ରହଣ ଯୋଗ୍ୟ ଏହାକୁ ନେଇ ପ୍ରଶ୍ନ ରହିଛି । ଏପଟେ ଦେଶର ପ୍ରମୁଖ ଡାକ୍ତର ସଂଘ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମଏ କହିଛି, ଦେଶରେ କରୋନାର ତୃତୀୟ ଲହର ଆସିବା ଅବସମ୍ଭାବୀ । ତେଣୁ କୌଣସି ପରିସ୍ଥିତିରେ କଟକଣା କୋହଳ ନକରିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ଆଇଏମଏ । ଧାର୍ମିକ ଉତ୍ସବ, ତୀର୍ଥଯାତ୍ରା ଓ ପର୍ଯ୍ୟଟନକୁ ଅନୁମତି ନଦେବାକୁ ସରକାରଙ୍କୁ ଅନୁରୋଧ କରିଛି ଡାକ୍ତର ସଂଘ ।