କରୋନା ଲଢେଇ ଭିତରେ ବଡଦୋରାରୁ ଆସିଲା ରୋଚକ ଚିତ୍ର । ରୋଗୀଙ୍କ ମୁହଁରେ ହସ ଆଣିବାକୁ ବଲିଉଡ ଗୀତରେ ଡାକ୍ତରଖାନାରେ ନାଚିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ

343

କନକ ବ୍ୟୁରୋ: ଦେଶରେ କରୋନା ଏହାର କାୟା ମେଲାଇ ଚାଲିଛି । ଏହାରି ଭିତରେ ବିଭିନ୍ନ ରାଜ୍ୟରେ ଡାକ୍ତରଖାନା ଗୁଡିକରେ ବେଡ୍ ଅଭାବର ଚିତ୍ର ସାମ୍ନାକୁ ଆସୁଛି । କିନ୍ତୁ ଏସବୁ ଭିତରେ ଆଜି ଏପରି ଏକ ଚିତ୍ର ସାମ୍ନାକୁ ଆସିଛି , ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ । ଡାକ୍ତରଖାନା ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିବା ପରେ ଏବେ ପ୍ରବଳ ଚାପରେ କାମ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର । ତେବେ ଗୁଜରାଟ ବଡଦୋରାର ଡାକ୍ତରଖାନାରେ କରୋନା ରୋଗୀଙ୍କ ମୁହଁରେ ହସ ଫୁଟାଇବାକୁ ନାଚ କଲେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ । ଦେହରେ ରହିଥିଲା ପିପିଇ କିଟ୍ । ବଲିଉଡ୍ ଫିଲ୍ମ ଘାୟଲର ଗୀତ , ସୋଚନା କ୍ୟା, ଯୋଭି ହୋଗା ଦେଖା ଯାଏଗା ର ତାଳେ ତାଳେ ନାଚିଥିଲେ ସମସ୍ତେ । ଉଦ୍ୟମ ଥିଲା କେବଳ କରୋନା ରୋଗୀଙ୍କ ମୁହଁରେ ହସ ଫୁଟାଇବା । ରୋଗୀଙ୍କ ମନରେ ସାହସ ଆଣିବା । ପୁରା ୪୫ ସେକେଣ୍ଡର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।

ବଡଦୋରାର ପାରୁଲ ସେବାଶ୍ରମ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କର କରୋନା କାଳରେ ଏପରି ଉଦ୍ୟମକୁ ଏବେ ସବୁ ଆଡେ ପ୍ରଶଂସା କରାଯାଉଛି । କରୋନା କାଳରେ ଡାକ୍ତରଖାନା ଭିତରେ ଏକାକି ବେଡରେ ପଡି ରହିଥିବା ରୋଗୀର ମାନସିକ ଚାପ ଓ ଦୁଃଖ କଷ୍ଟକୁ ଦୂର କରିବାକୁ ଡାକ୍ତରମାନେ ବି ଏପରି ଏକ କଷ୍ଟକର ସମୟରେ ବଲିଉଡ ଗୀତରେ ପାଦ ମିଳାଇବେ , ତାହା ସ୍ପଷ୍ଟ କରୁଛି, କରୋନା ମୁକାବିଲାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କେତେ ସମର୍ପିତ ମନୋଭାବରେ କାମ କରୁଛନ୍ତି ।