ଅଷ୍ଟମ ରାଉଣ୍ଡ ବୈଠକରେ ଚାଷୀ ନେତାଙ୍କୁ ବିକଳ୍ପ ମାଗିଲେ କେନ୍ଦ୍ର ସରକାର । ନୀରବ ରହିଲେ ଚାଷୀ ନେତା, ବିନା ଫଳାଫଳରେ ସରିଲା ବୈଠକ

106

କନକ ବ୍ୟୁରୋ : ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିଥିଲା । ଏହି ବୈଠକରୁ କୌଣସି ନିର୍ଯ୍ୟାସ ବାହାରିପାରିନି । କହିବାକୁ ଗଲେ ଚାଷୀ ନେତାଙ୍କୁ ମନେଇବାରେ ପୁଣି ଥରେ ସରକାର ବିଫଳ ରହିଛନ୍ତି । ଚାଷୀ ସଂଗଠନ ଆଜି ସେହି ଗୋଟିଏ ଦାବି, କେନ୍ଦ୍ର ସରକାର ନୂଆ ଆଇନ ପ୍ରତ୍ୟାହାର କରନ୍ତି, ଏହି ଦାବିରେ ଅଟଳ ରହିଥିଲେ । ଜାନୁଆରୀ ୧୫ରେ ପୁଣି ଥରେ ହେବ ଆଲୋଚନା ।

ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଅଷ୍ଟମ ରାଉଣ୍ଡ ବୈଠକ ଉପରେ ରହିଥିଲା ସାରା ଦେଶର ନଜର । ତେବେ ସବୁ ଆଲୋଚନା ପରି ଏଥର ବି ବୈଠକରୁ ବିଶେଷ କିଛି ମିଳିନାହିଁ । ଦେଶର ଆନ୍ଦୋଳନରତ ଚାଷୀ ସଂଗଠନଙ୍କୁ ମନେଇବାରେ କେନ୍ଦ୍ର ସରକାର ବିଫଳ ରହିଛନ୍ତି ବୋଲି କହିଲେ କିଛି ଭୁଲ୍ ହେବନାହିଁ । ବୈଠକରେ ଚାଷୀ ସଂଗଠନଙ୍କୁ କେନ୍ଦ୍ର ସରକାର ଆଇନ ପ୍ରତ୍ୟାହାର ବଦଳରେ ବିକଳ୍ପ ମାଗିଥିଲେ, ତେବେ ସେନେଇ ନୀରବ ରହିଥିଲେ ଚାଷୀ ନେତା । ଫଳରେ ପ୍ରାୟ ଅଢେଇ ଘଂଟାର ଆଲୋଚନା ବିନା ନିଷ୍କର୍ସରେ ଶେଷ ହୋଇଛି ।

ଜାନୁଆରୀ ୧୫ରେ ପୁଣି ବସିବ ବୈଠକ । ଚାଷୀ ନେତାଙ୍କ ସହିତ ଆଲୋଚନାରେ ଏବେ ବାହାରି ପାରିନି କିଛି ବାଟ । କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥ ପ୍ରତି ଧ୍ୟାନ ଦେବାକୁ ଚାଷୀ ନେତାଙ୍କୁ କହିଛନ୍ତି । ତେବେ । ବୈଠକରେ ଚାଷୀ ସଂଗଠନ ଦେଖାଇଛନ୍ତି କଠୋର ଆଭିମୁଖ୍ୟ । ଗୋଟିଏ ଦାବି ଆମେ ମରିବୁ, ନହେଲେ ଜିତିବୁ । ଏପରି ଲେଖା ଦେଖାଇବା ପରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ସରେ ସରିଛି । ତେବେ କୌଣସି କୋର୍ଟ କଚେରୀ ନୁହଁ , ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛି ଚାଷୀ ସଂଗଠନ ।

ସରକାର ସାତ ଶହ ଥର ଆଲୋଚନା ପାଇଁ ଡାକିଲେ ମଧ୍ୟ ଆସିବାକୁ ରାଜିଥିବା ସ୍ପଷ୍ଟ କରିଛନ୍ତି ଚାଷୀ ନେତା । କିନ୍ତୁ ସେହି ଗୋଟିଏ ଦାବି , ଆଇନ ପ୍ରତ୍ୟାହାର ନହେଲେ ଆଗକୁ ତେଜିବ ଆନ୍ଦୋଳନ । ଦିଲ୍ଲୀରେ ପ୍ରବଳ ଜାଡ ଭିତରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ଭିତରେ ଆଗକୁ ୨୬ ଜାନୁଆରୀରେ ଚାଷୀ ଟ୍ରାକ୍ଟର ରାଲି କରିବାର ଧମକ ଦେବା ପରେ କେନ୍ଦ୍ର ସରକାର ଏହା ଆଗରୁ ଆଲୋଚନାରେ ଫଳାଫଳ ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି ।