କନକ ବ୍ୟୁରୋ: ବୟସର ଅପରାହ୍ନରେ ପହଞ୍ଚିଛନ୍ତି, ନିଜ ଦେହରେ ବି ବଳ ନାହିଁ । ହେଲେ ନିଜ କର୍ତ୍ତବ୍ୟରୁ ଓହରି ନାହାନ୍ତି । ବୟସ ୭୦ ଟପିଯାଇଥିଲେ ବି ଅଭାବ ଅନଟନ ଭିତରେ ନିଜ ରୁଗଣ ସ୍ୱାମୀ ବୃନ୍ଦାବନଙ୍କର ଅନବରତ ସେବା କରିଚାଲିଛନ୍ତି । ନିଜ ସ୍ୱାମୀ ପ୍ରତି ଥିବା ଭଲପାଇବା ଆଉ କର୍ତବ୍ୟକୁ ଭୁଲିନାହାନ୍ତି କପ୍ତିପଦା ମାଙ୍କଡପଡା କୁଅଁରପୁର ଗାଁର ବାସନ୍ତୀ ବିନ୍ଧାଣୀ । କିଛି ବର୍ଷ ହେଲା ତାଙ୍କର ସ୍ୱାମୀ ପକ୍ଷାଘାତରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇପଡ଼ିରହିଛନ୍ତି । ପରିବାର ଭରଣପୋଷଣ ଦାୟିତ୍ୱ ସ୍ୱାମୀ ଉପରେ ଥିଲା । ହେଲେ ରୋଗଗ୍ରସ୍ତ ହୋଇପଡ଼ିଥିବାରୁ ସମସ୍ତ ଦାୟିତ୍ୱ ଏବେ ବାସନ୍ତୀଙ୍କ ଉପରେ । ସେ ମଧ୍ୟ ଏଥିରେ ହାର ମାନିନାହାନ୍ତି । ଅନଟନ ଭିତରେ ବି ସଂଘର୍ଷ ଜାରି ରଖିଛନ୍ତି । ତା ସହିତ ସ୍ୱାମୀଙ୍କର ନେଉଛନ୍ତି ସମସ୍ତ ଯତ୍ନ । କେବଳ ଭତା ଗଣ୍ଡାକ ମିଳୁଥିବା ବେଳେ କିଭଳି ପରିବାର ଚଳିବ ଆଉ କିଭଳି ସ୍ୱାମୀଙ୍କ ଚିକିତ୍ସା କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି ବାସନ୍ତୀ । ସରକାରଙ୍କ ପକ୍ଷରୁ ଆଉ କିଛି ସାହାଯ୍ୟ ସହଯୋଗ ମିଳିପାରିଲେ ସେ ଉପକୃତ ହୋଇପାରିବେ । ଏନେଇ ସହାୟତା ଅନୁରୋଧ କରିଛନ୍ତି ବାସନ୍ତୀ ।

Advertisment