ଓଡ଼ିଶାରେ ସନ୍ଦିଗ୍ଧ ପାରାକୁ ନେଇ ବଢ଼ିଲା ଆଶଙ୍କା । ଭାରତରେ ଗୁଇନ୍ଦାଗିରି କରୁଛି କି ଡ୍ରାଗନ ? ସିଏଫଏସଏଲରେ ହୋଇପାରେ ପାରାର ଡିଏନଏ ପରୀକ୍ଷା

122

କନକ ବ୍ୟୁରୋ: କିଛି ଦିନ ତଳେ ଆମେରିକା ଆକାଶରେ ଚୀନର ଗୁଇନ୍ଦା ବେଲୁନ୍ ଦେଖିବାକୁ ମିଳିଥିଲା । ଯାହାକୁ ପରବର୍ତ୍ତର୍ ସମୟରେ ଖସାଇ ଦେଇଥିଲା ଆମେରିକା । ଠିକ୍ ସେହିଭଳି ଏବେ ଓଡିଶାର ପାରାଦୀପରୁ ଉଦ୍ଧାର ହୋଇଛି ସନ୍ଦିଗ୍ଧ ପାରା । ଯେଉଁ ପାରାର ଡେଣାରେ ଚାଇନିଜ୍ ଭାଷାରେ କିଛି ଲେଖାଥିବା ଚର୍ଚ୍ଚା ହେଉଛି । କିନ୍ତୁ ପ୍ରକୃତରେ ପାରାଟି କେଉଁଠୁ ଆସିଥିଲା, କାହିଁକି ଆସିଥିଲାର ଅଧିକ ତଦନ୍ତ ପରେ ତାହା ସ୍ପଷ୍ଟ ହେବ ।

  • ଆମେରିକାରେ ବେଲୁନ, ଓଡିଶାରେ ପାରା!
  • ଭାରତରେ ଗୁଇନ୍ଦାଗିରି କରୁଛି କି ଡ୍ରାଗନ!

ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଚୀନର ଗୁଇନ୍ଦାଗିରି ବେଲୁନକୁ ଗୁଳି କରି ଖସାଇବା ଘଟଣା ସାରା ବିଶ୍ୱରେ ହଇଚଇ ଖେଳାଇଦେଇଥିଲା । ଏବେ ଓଡିଶାରେ ଏକ ସନ୍ଦିଗ୍ଧ ପାରା ଜବତ ହେବା ପଡୋଶୀ ରାଷ୍ଟ୍ରର ଗୁଇନ୍ଦାଗିରି ଆଡକୁ ଇସାରା କରୁଛି । ଓଡିଶା ଉପକୂଳ ପାରାଦୀପ ଓ କୋଣାର୍କ ମଝି ସମୁଦ୍ରରୁ ମାର୍ଚ୍ଚ ୬ରେ ଠାବ ହୋଇଥିଲା ସନ୍ଦିଗ୍ଧ ପାରା । ଯାହାର ଦୁଇ ଡେଣାରେ ଚାଇନିଜ ଅକ୍ଷର ଲେଖାଥିବା ସ୍ପଷ୍ଟ ହୋଇଛି । ତେଣୁ ଏଥିରେ ଚୀନର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ।

  • ସନ୍ଦିଗ୍ଧ ପାରା ଗୁଇନ୍ଦାଗିରି କରୁଥିଲା କି?
  • କେଉଁ କେଉଁ ସ୍ଥାନ ଦେଇ ଓଡିଶା ଆସିଛି ପାରା?
  • ପାରା ଗୋଡରେ ଲାଗିଥିବା ଯନ୍ତ୍ରାଂଶରେ କିଛି ରେକର୍ଡ ହୋଇଛି କି?
  • କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ବାହାର ରାଷ୍ଟ୍ରକୁ ପଠାଇଛି କି?

ପାରାର ଗୋଟିଏ ଗୋଡରେ କ୍ୟାମେରା ଲେନ୍ସ ଭଳି ଦେଖାଯାଉଥିବା ଯନ୍ତ୍ରାଂଶ ଏକ ସୋଲାର ପ୍ୟାନେଲ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେହିପରି ଅନ୍ୟଗୋଡରେ ଚିପ୍ କିମ୍ବା ମେମୋରୀ କାର୍ଡ ଭଳି ଦେଖାଯାଉଥିବା ଯନ୍ତ୍ରାଂଶ ଟ୍ରାନ୍ସମିଟର ବୋଲି ଆଶଙ୍କା କରାଯାଉଛି । ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେ ଯାଞ୍ଚ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

  • ସିଏଫଏସଏଲ ଯିବ ସନ୍ଦିଗ୍ଧ ପାରା?
  • ପାରାର ହେବ ଡିଏନଏ ଟେଷ୍ଟ?

ଓଡିଶା ଉପକୂଳ ସମୁଦ୍ରରୁ ଜବତ ହୋଇଥିବା ସନ୍ଦିଗ୍ଧ ପାରାର ଦୁଇ ଡେଣାରେ ଚାଇନିଜ ଅକ୍ଷରରେ ଲେଖା ରହିଛି । ରାଜ୍ୟ ଫରେନସିକ ଲ୍ୟାବରେ ସନ୍ଦିଗ୍ଧ ପାରର ଯାଞ୍ଚ ପରେ ଡେଣାରେ ଲେଖାଥିବା ଭାଷା ବୁଝିବା ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଏହାର ଅର୍ଥ ଜାଣିବା ପାଇଁ ବାହାର ରାଜ୍ୟର ବିଶେଷଜ୍ଞଙ୍କ ସହାୟତା ନିଆଯିବ । କୋଲକାତା ସିଏଫଏସଲ କିମ୍ବା ହାଇଦ୍ରାବାଦ ସିଏଫଏସଏଲକୁ ସନ୍ଦିଗ୍ଧ ପାରାକୁ ପଠାଇବା ପାଇଁ ଆଲୋଚନା କରୁଛନ୍ତି ବରିଷ୍ଠ ଅଧିକାରୀ । ଏଥିସହ ପାରାର ଡିଏନଏ ଟେଷ୍ଟ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।

ପୁରାତନ କାଳରୁ ପାରାକୁ ବାର୍ତ୍ତାବହ ଭାବେ ବ୍ୟବହାର କରାଯାଉଥିଲା । ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ସାମରିକ ସୂଚନାର ଆଦାନ ପ୍ରଦାନ ପାଇଁ ପ୍ରଶିକ୍ଷିତ ପାରା ବ୍ୟବହୃତ ହେଉଥିଲେ । ହେଲେ ପାରା ଜରିଆରେ ଗୁଇନ୍ଦାଗିରି ଭଳି ସନ୍ଦିଗ୍ଧ ଘଟଣା ଭାରତର ପ୍ରତିରକ୍ଷା ପାଇଁ ବଡ ଚ୍ୟାଲେଞ୍ଜ ।