ପରୀ ମୃତ୍ୟୁ ମାମଲାରେ ଡିଏନଏ ପରୀକ୍ଷା ଆରମ୍ଭ : ପୋଷାକରେ ମିଳିଥିବା ସିମେନ ଓ ରକ୍ତ ନମୁନାର ହେଉଛି ଯାଂଚ

ଚିହ୍ନଟ ଅଭିଯୁକ୍ତର ଡିଏନଏ ସହ କରାଯିବ ମ୍ୟାଚ; ଯୌନ ନିର୍ଯାତନା ପରେ ପରୀକୁ ମାରିଦିଆଯାଇଥିବାର ହୋଇଥିଲା ଖୁଲାସା

159

କନକ ବ୍ୟୁରୋ : ନୟାଗଡ ପରୀ ମୃତ୍ୟୁ ମାମଲାରେ ଡିଏନଏ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ପରୀ ପୋଷାକରୁ ମିଳିଥିବା ସିମେନ ଓ ରକ୍ତନମୁନାର ହେଉଛି ଡିଏନଏ ପରୀକ୍ଷା । ଏହାକୁ ଚିହ୍ନଟ ଅଭିଯୁକ୍ତର ଡିଏନଏ ସହ ମ୍ୟାଚ କରାଯିବ । ଗତକାଲି ପରୀକୁ ଯୌନ ନିର୍ଯାତନା ଦିଆଯାଇଥିବା କଥା କ୍ରାଇମବ୍ରାଂଚ ଏସଆଇଟି ହାଇକୋର୍ଟରେ ତଥ୍ୟ ଦେଇଥିଲା । ପରୀ ଗାଁରୁ ହିଁ ଏ ନେଇ ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା ।

ପରୀର ମୃତଦେହ ଉଲଗ୍ନ ଅବସ୍ଥାରେ ବସ୍ତା ଭିତରୁ ମିଳିଥିଲା । ପରୀ ପିନ୍ଧିଥିବା ଫ୍ରକ୍ରେ ସିମେନ୍ ମିଳିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଜୁଲାଇ ୧୪ ତାରିଖରୁ ନିଖୋଜ ହେବା ପରେ ୧୦ ଦିନ ପରେ ଘର ଲୋକେ ପରୀକୁ ଦେଖିଲେ, କିନ୍ତୁ ସେ ଆଉ ଜୀବିତ ନଥିଲା । ଝିଅକୁ ନ୍ୟାୟ ନମିଳିବାରୁ ବିଧାନସଭା ଆଗରେ ନଭେମ୍ବର ୨୪ ତାରିଖରେ ପରୀଙ୍କ ବାପା ମା ନିଜ ଉପରେ ଡିଜେଲ ଢାଳି ଆତ୍ମାହୂତି ଦେବାକୁ ଉଦ୍ୟମ କଲେ । ଏହାପରେ ରାଜନୀତି ଜୋର ଧରିଥିଲା । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିଜେପି ହଟ୍ଟଗୋଳ କରିଥିଲା । ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଏବେ ବି ଅଟଳ ରହିଛି ବିଜେପି । ଏପରିକି କଂଗ୍ରେସ ଓ ବିଜେପି ଟିମ ଯଦୁପୁର ଯାଇ ପରୀଙ୍କ ପରିବାରକୁ ଭେଟିଥିଲେ ।