ଇରାକରେ ମୋସୁଲ ସହରରେ ନିଖୋଜ ହୋଇଥିବା ୩୯ ଜଣ ଭାରତୀୟଙ୍କୁ ଖୋଜିବାକୁ ଆରମ୍ଭ ହୋଇଛି ପ୍ରୟାସ । ଜୁନ୍ ୨୦୧୪ ମସିହାରୁ ଇରାକରେ ନିରୁଦ୍ଦିଷ୍ଟ ହୋଇ ଯାଇଥିବା ୩୯ ଜଣ ଭାରତୀୟଙ୍କ ସମ୍ପର୍କୀୟମାନଙ୍କ ଠାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଡିଏନଏ ନମୁନା ସଂଗ୍ରହ କରିବା ଆରମ୍ଭ କରି ଦେଇଛି। କେନ୍ଦ୍ର ସରକାର ନିରୁଦ୍ଦିଷ୍ଟ ଲୋକମାନଙ୍କ ସମ୍ବନ୍ଧରେ କିଛି ସୂଚନା ପାଇଛି କିନ୍ତୁ ଆହୁରି ଅଧିକ ସୂଚନା ନ ପାଇବା ପର୍ୟ୍ୟନ୍ତ କୌଣସି କଥା ପ୍ରକାଶ କରିବାକୁ ଚାହୁଁ ନାହିଁ । ତେବେ ଡିଏନଏ୍ ସଂଗ୍ରହର ପ୍ରକୃତ କାରଣ ଏ ଯାଏଁ ଜଣା ପଡିନାହିଁ । ଡିଏନଏ ସଂଗ୍ରହ ପରେ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଆତ୍ମୀୟଙ୍କ ମନରେ ଆଶା ଓ ଆଶଙ୍କା ଉତ୍ପନ୍ନ ହୋଇଛି ।

Advertisment

PUNJABIS-875ଦିଲ୍ଲୀରେ ଅବସ୍ଥିତ ଶୀର୍ଷସ୍ତରୀୟ ସରକାରୀ ସୂତ୍ରରୁ ପ୍ରକାଶ ଯେ ରୁଟିନ୍ ପଦ୍ଧତି ଅନୁସାରେ ଡିଏନଏ ନମୁନା ସଂଗ୍ରହ କରାଯାଉଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାଧାରଣ ପ୍ରଥା ଅନୁସାରେ ସରକାର ଇରାକୀୟ ସରକାରଙ୍କୁ ନମୁନା ଯୋଗାଇ ଦେବା ଆବଶ୍ୟକ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପୂର୍ବରୁ ପଞ୍ଜାବ ସମତେ ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖି ଥିଲେ। ଏହି ମାମଲା ସମ୍ବନ୍ଧରେ ଇରାକ୍ ସରକାର ଭାରତ ସରକାରଙ୍କ ସହ ଯୋଗସୂତ୍ର ରଖି ଆସୁଛି। ପୂର୍ବରୁ ଇରାକ୍ ସରକାର ଜଣାଇ ଥିଲେ ଯେ ନିଖୋଜ ଭାରତୀୟଙ୍କ ମାମଲାରେ ତାଙ୍କ ନିଜ ତଦନ୍ତ ପାଇଁ ସେମାନେ ନମୁନା ଆବଶ୍ୟକ କରୁଛନ୍ତି। ଭାରତୀୟ ଅଧିକାରୀଙ୍କ ମତରେ, ୩୯ ଜଣ ଭାରତୀୟ ନାଗରିକ ମୃତ କି, ଜୀବିତ ଏହା କୌଣସିମତେ ଚୂଡ଼ାନ୍ତ ପ୍ରମାଣ ଦେଉନାହିଁ।

ପ୍ରାୟ ୪୦ ଜଣ ଭାରତୀୟ ଯୁବକ, ଅଧିକାଂଶ ପଞ୍ଜାବି, ମୋସୁଲ ଠାରେ ଏକ ନିର୍ମାଣକାରୀ କମ୍ପାନିରେ କାମ କରୁଥିଲେ। ସେମାନଙ୍କୁ ୨୦୧୪ ମସିହା ଜୁନ୍ ୧୧ ତାରିଖ ଦିନ ଇସଲାମିକ୍ ଷ୍ଟେଟ୍ ଟେରରିଷ୍ଟମାନେ ଅପହରଣ କରି ନେଇ ଥିବା କୁହା ଯାଉଛି। ଅପହୃତ ଲୋକମାନଙ୍କ ମଧ୍ୟରୁ ପଞ୍ଜାବ ଫେରିଥିବା ହରଜିତ୍ ମାସିହ୍ ନାମକ ଜଣେ ବ୍ୟକ୍ତି କହିଥିଲେ ଯେ, ଆଇଏସଆଇଏସ ଆତଙ୍କବାଦୀ ମାନେ ତାଙ୍କୁ ଅପହରଣ କରିଥିଲେ ମାତ୍ର କୌଶଳ କ୍ରମେ ଆତଙ୍କବାଦୀଙ୍କ କବଳରୁ ଏକମାତ୍ର ସେ ହିଁ ଖସି ଆସିବାରେ ସମର୍ଥ ହୋଇଥିଲେ । ଏହା ପର ଠାରୁ ବାକି ୩୯ ଜଣ ଭାରତୀୟମାନଙ୍କର ପତ୍ତା ମିଳୁ ନାହିଁ।
କିଛି ଖବର ଅନୁସାରେ ମୋସୁଲ୍ ଠାରେ ସେମାନଙ୍କୁ ଆଇଏସ୍ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ଆଉ କିଛି ଖବର ଅନୁସାରେ, ସେମାନଙ୍କୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମୋସୁଲ୍ ନିକଟବର୍ତ୍ତୀ ବାଦୁଶ୍ ଜେଲ୍ରେ ରଖା ଯାଇଛି। ଜୁଲାଇ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସଂସଦରେ କହିଥିଲେ ଯେ ବଳିଷ୍ଠ ପ୍ରମାଣ ନ ମିଳିବା ପର୍ୟ୍ୟନ୍ତ ସେ ୩୯ ଜଣ ବ୍ୟକ୍ତି ମରିଥିବା କଥା ସେ ଘୋଷଣା କରି ପାରିବେ ନାହିଁ।ଏପରିକି ଇରାକର ବୈଦଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଥିବା ବେଳେ ନିଖୋଜ ହୋଇଥିବା ୩୯ ଜଣ ଭାରତୀୟ ଜୀବିତ ନା ମୃତ ସେ ନେଇ ସ୍ପଷ୍ଟ ସୂଚନା ଦେଇନଥିଲେ । ତେବେ ନିଖୋଜ ହୋଇଥିବା ୩୯ ଜଣ ଭାରତୀୟ ସମ୍ପର୍କୀୟଙ୍କ ଠାରୁ କଣ ପାଇଁ ଡିଏନଏ୍ ସଂଗ୍ରହ କରାଯାଉଛି ସେ ନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ।