ସତ ସାମ୍ନାକୁ ଆଣିଲା ଡିଏନଏ ରିପୋର୍ଟ: କାର୍ଯ୍ୟାନୁଷ୍ଠାନ ନେବ କ୍ୟାପିଟାଲ ହସ୍ପିଟାଲ

629

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦବଦଳ ଅଭିଯୋଗର ସତ ସାମ୍ନାକୁ ଆସିଛି । ଡିଏନଏ ରିପୋର୍ଟ ପରେ ସ୍ପଷ୍ଟ ହୋଇଛି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କର ଝିଅ ହୋଇଛି । ପରିବାର ଲୋକଙ୍କୁ ଏବେ ନବଜାତକକୁ ହସ୍ତାନ୍ତର କରାଯାଇଛି । ଡିଏନଏ ରିପୋର୍ଟ ଆସିବା ପରେ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ଜଣେ ଲୋକର ହୀନ ମାନସିକତା ଯୋଗୁଁ କ୍ୟାପିଟାଲ ହସ୍ପିଟାଲ ବଦନାମ ହୋଇଛି । ତେଣୁ ତାଙ୍କ ବିରୋଧରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନିଆଯିବ । ସେପଟେ ପାଲଟା ଅଭିଯୋଗ ଆଣି ହସ୍ପିଟାଲ ବିରୋଧରେ କେସ କରିବେ ବୋଲି କହିଛନ୍ତି ପ୍ରାଣକୃଷ୍ଣ ବିଶ୍ୱାଳ ।

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ପରେ ସୃଷ୍ଟି ହଟଚମଟର ସତ ସାମ୍ନାକୁ ଆସିଛି । ଡିଏନଏ ରିପୋର୍ଟ ସ୍ପଷ୍ଟ କରିଛି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କର ପୁଅ ନୁହେଁ ଝିଅ ହୋଇଛି । ପ୍ରାଣକୃଷ୍ଣଙ୍କ ପତ୍ନୀ ଓ ଝିଅର ଡିଏନଏ ମେଳ ଖାଇଛି । ଏବେ ପରିବାର ଲୋକଙ୍କୁ ନବଜାତକ ଶିଶୁକୁ ହସ୍ତାନ୍ତର କରାଯାଇଛି । ଡିଏନଏ ରିପୋର୍ଟ ଆସିବା ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖି କହିଛନ୍ତି, ଜଣେ ଲୋକର ହୀନ ମାନସିକତା ପାଇଁ କ୍ୟାପିଟାଲ ହସ୍ପିଟାଲ ବଦନାମ ହୋଇଛି । ପୋଲିସଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା । ତେଣୁ ଯିଏ ହସ୍ପିଟାଲକୁ ବଦନାମ କରିବାକୁ ଉଦ୍ୟମ କରିଛନ୍ତି ତାଙ୍କ ବିରୋଧରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନିଆଯିବ ।

ଡିଏନଏ ରିପୋର୍ଟ ଆସିବା ପରେ ଝିଅକୁ ନେଇଛନ୍ତି ପ୍ରାଣକୃଷ୍ଣ ବିଶ୍ୱାଳ । ପାଲଟା ଅଭିଯୋଗ ଆଣି କହିଛନ୍ତି, ତାଙ୍କୁ ପ୍ରଥମେ ପୁଅ ହୋଇଥିବାର ମିଛ ସୂଚନା ଦେଇ ହଇରାଣ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧିକାରୀ । ମିଛ ସୂଚନା ଯୋଗୁଁ ସେ ଏତେ ଦିନ ହଇରାଣ ହୋଇଛନ୍ତି । ତେଣୁ କ୍ୟାପିଟାଲ ହସ୍ପିଟାଲ ବିରୋଧରେ କେସ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଡାକ୍ତରଖାନାର ବ୍ୟବସ୍ଥା ଅନୁସାରେ ନବଜାତକ ଜନ୍ମ ପରେ ପ୍ରଥମେ ମାଆଙ୍କୁ ପୁଅ କି ଝିଅ ହୋଇଛି ଜଣାଇ ଦିଆଯାଏ । ରେଜିଷ୍ଟରରେ ସମସ୍ତ ତଥ୍ୟ ଲେଖିବା ପରେ ଶିଶୁର ଫୁଟପ୍ରିଂଟ ମଧ୍ୟ ରଖାଯାଏ । ଏଥିସହ ଆବଶ୍ୟକ ପଡିଲେ ଟ୍ୟାଗ ଲଗାଯାଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥାଏ । ଗୋଟିଏ ପଟେ ପ୍ରାଣକୃଷ୍ଣଙ୍କୁ ଛୁଆ ଜନ୍ମ ପରେ ପୁଅ ହୋଇଥିବା ନେଇ ସୂଚନା ଦିଆଯାଇଥିବା ସେ କହୁଥିବା ବେଳେ ଅନ୍ୟପଟେ ହସ୍ପିଟାଲ କର୍ତୃପକ୍ଷ ତାଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ।