ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କୁ ଭେଟିଲେ କାନିମୋଝୀ: ହସ୍ତାନ୍ତର କଲେ ଷ୍ଟାଲିନଙ୍କ ଚିଠି, ନିଟ୍ ପରୀକ୍ଷା ବିରୋଧରେ ଏକଜୁଟ ହେବାକୁ ଅନୁରୋଧ

208

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଡିଏମକେ ସାଂସଦ କାନିମୋଝୀ କରୁଣାନିଧୀ । ଆଜି ନବୀନ ନିବାସରେ ପହଂଚି ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କାନିମୋଝୀ କରୁଣାନିଧି । ସେ ଡିଏମକେ ସଂସଦୀୟ ଦଳର ଉପନେତା ଅଛନ୍ତି । ତାମିଲନାଡୁରେ କ୍ଷମତାରେ ଅଛି ଡିଏମକେ । କାନିମୋଝୀଙ୍କ ଭାଇ ତଥା ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଅଛନ୍ତି ।

ନବୀନ ନିବାସରେ ପହଂଚି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଲିଖିତ ଚିଠି ପ୍ରଦାନ କରିଛନ୍ତି । ଏହି ଚିଠିରେ ସର୍ବ ଭାରତୀୟ ସ୍ତରରେ ହେଉଥିବା ନିଟ୍ ପରୀକ୍ଷାରେ ଗରୀବ ତଥା ଗ୍ରାମୀଣ ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ସମସ୍ୟା ବାବଦରେ ଉଲ୍ଲେଖ କରିଛନ୍ତି । ନିଟ୍ ପରୀକ୍ଷା ସର୍ବ ଭାରତୀୟ ସ୍ତରରେ ହେଉଥିବାବେଳେ ଏଥିରେ ହେଉଥିବା ପ୍ରତିଯୋଗିତାକୁ ସାମନା କରିପାରୁନାହାଁନ୍ତି ଗ୍ରାମୀଣ ତଥା ଗରିବ ଶ୍ରେଣୀ ଛାତ୍ରଛାତ୍ରୀ ।

ଏହି ପରୀକ୍ଷାରେ ବିଫଳ ହୋଇ ତାମିଲନାଡୁ ଓ ଅନ୍ୟ ରାଜ୍ୟ ମାନଙ୍କରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ଘଯଣା ସାମନାକୁ ଆସୁଛି । ଏହି ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ଆବଶ୍ୟକ ହେଉଥିବାବେଳେ ଏଥିପାଇଁ ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସୁବିଧା ସୁଯୋଗ ପାଇବାରୁ ବବଂଚିତ ହେଉଛନ୍ତି ଗ୍ରାମୀଣ ଛାତ୍ରଛାତ୍ରୀ । ତେଣୁ ଏହାକୁ ଅନ୍ୟ ପରୀକ୍ଷା ଭଳି ରାଜ୍ୟ ସ୍ତରୀୟ କରି ଏଥିପାଇଁ ଥିବା ନିୟମକୁ କୋହଳ କରିବାକୁ ତାମିଲନାଡୁ ସରକାର ଦାବି କରିଛନ୍ତି । ଏହାବ୍ୟତୀତ ମେଡିକାଲ କଲେଜରେ ନାମ ଲେଖା ପାଇଁ ହେଉଥିବା କାଉନସେଲିଂ ସମୟରେ କେନ୍ଦ୍ର ସରକାର ହସ୍ତକ୍ଷେପ ନକରିବାକୁ ମଧ୍ୟ ଦାବି ହୋଇଛି ।

ଏବାବଦରେ କେନ୍ଦ୍ରକୁ ଜଣାଇଥିଲେ ବି କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଓଡିଶା ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଆଗରେ ଏପରି ପ୍ରସ୍ତାବ ରଖିଥିଲେ । ଏବେ ଏହି ପ୍ରସ୍ତାବ ଉପରେ ସମର୍ଥନ ବଢାଇବାକୁ ଓଡିଶା ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ତାମିଲନାଡୁ ସରକାର । ଏହି ପ୍ରସ୍ତାବକୁ ଆନ୍ଧ୍ର ସରକାର ସମର୍ଥନ କରୁଥିବାବେଳେ ଅନ୍ୟ ଅଣବିଜେପି ରାଜ୍ୟ ସରକାରଙ୍କୁ ସମର୍ଥନ ପାଇଁ ଚିଠି ଲେଖିଛନ୍ତି ତାମିଲନାଡୁ ସରକାର ।