ତାମିଲନାଡୁରେ ଆସନ ବଣ୍ଟନକୁ ନେଇ ଡିଏମକେ ଓ କଂଗ୍ରେସ ମଧ୍ୟରେ ବଢ଼ିଲା ବିବାଦ । ମିଳିତ ମଞ୍ଚରୁ ଓହରିବାକୁ କଂଗ୍ରେସର ଧମକ

248

କନକ ବ୍ୟୁରୋ : ତାମିଲନାଡୁରେ ଏଆଇଏଡିଏମ୍‌କେ ଓ ବିଜେପି ମେଣ୍ଟକୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ଡିଏମକେ ନେତୃତ୍ୱରେ ଗଠିତ ହୋଇଥିଲା ମିଳିତ ମଞ୍ଚ । ଏହି ମିଳିତ ମଞ୍ଚରେ ଡିଏମକେ ସହ ଏକାଠି ହୋଇଥିଲେ କଂଗ୍ରେସ ସମେତ ଦୁଇ କମ୍ୟୁନିଷ୍ଟ ଦଳ, ତିନି ଆଞ୍ଚଳିକ ଦଳ ଓ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ । ୨୩୪ ଆସନ ବଶିଷ୍ଟ ବିଧାନସଭା ନିର୍ବାଚନରେ ଆସନ ସବୁକୁ ପରସ୍ପର ମଧ୍ୟରେ ଭାଗବଣ୍ଟା କରି ଏକାଠି ନିର୍ବାଚନ ଲଢ଼ିଥାନ୍ତେ ।

ତେବେ ଏହି ମିଳିତ ମଞ୍ଚର ନେତୃତ୍ୱ ନେଇଥିବା ଡିଏମକେ ଦ୍ୱାରା ଆସନ ଭାଗବଣ୍ଟା ନେଇ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ସେଥିରେ ଅନ୍ୟ ସମସ୍ତ ସହଯୋଗୀ ଦଳ ସହମତି ପ୍ରକାଶ କରିଥିବା ବେଳେ କଂଗ୍ରେସ କିନ୍ତୁ ତାହାକୁ ଅଗ୍ରାହ୍ୟ କରି ଦେଇଛି । କଂଗ୍ରେସକୁ ୧୮ଟି ଆସନ ମିଳିଥିବା ବେଳେ କଂଗ୍ରେସ ଏହାକୁ ନେଇ ନିଜର ଆପତ୍ତି ଉଠାଇଛି। ୨୦୧୬ ବିଧାନସଭା ନିର୍ବାଚନରେ ମିଳିଥିବା ୪୧ଟି ଆସନ ସ୍ଥାନରେ ଏଥର ମାତ୍ର ୧୮ଟି କାହିଁକି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଅନ୍ୟପକ୍ଷରେ ମଞ୍ଚର ନେତୃତ୍ୱ ନେଇଥିବା ଡିଏମକେ କହିଛି ଯେ ଏଥର ମଞ୍ଚରେ ସମ୍ପ୍ରସାରଣ ଘଟିଛି । ୨୦୧୬ ନିର୍ବାଚନରେ ଦୁଇ କମ୍ୟୁନିଷ୍ଟ ଦଳ ଓ ଅନ୍ୟ ଦୁଇ ଆଞ୍ଚଳିକ ଦଳ ତୃତୀୟ ସାମ୍ମୁଖ୍ୟର ଅଂଶ ହୋଇ ନିର୍ବାଚନ ଲଢ଼ିଥିବା ବେଳେ ଏଥର ମଞ୍ଚରେ ସାମିଲ ହୋଇଛନ୍ତି । ସେଥିପାଇଁ କଂଗ୍ରେସକୁ ଏଥର ୧୮ଟି ଆସନ ମିଳିଛି ବୋଲି କୁହାଯାଇଛି।

କଂଗ୍ରେସ କିନ୍ତୁ ୩୦ଟି ଆସନ ଚାହୁଁଛି ଏବଂ ୧୮ଟି ଆସନ ଅଫର ଗ୍ରହଣୀୟ ନୁହେଁ ବୋଲି କହିଛି । କଂଗ୍ରେସ କହିଛି ଏଆଇଏଡିଏମକେ ସହ ମେଣ୍ଟକରି ବିଜେପି ଯଦି ୨୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ; ତେବେ ଆମେ କାହିଁକି ୩୦ରୁ କମ ଆସନରେ ଲଢ଼ିବୁ? ଜଣେ କଂଗ୍ରେସ ସାଂସଦ କହିଛନ୍ତି ଯେ, ହାଇକମାଣ୍ଡ ଦଳର ସମ୍ମାନ ବଜାୟ ରଖିବା ପାଇଁ ୩୦ଟି ଆସନରୁ କମ ଆସନରେ ବୁଝାମଣା କରିବାକୁ ଚାହୁଁନାହାଁନ୍ତି । ଯଦି ଡିଏମକେ ଅଧିକ ଆସନ ଦେବାକୁ ରାଜି ନହୁଏ ତେବେ କଂଗ୍ରେସ ମିଳିତ ମଞ୍ଚରୁ ବାହାରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।