ସ୍କୁଲରେ ଶିକ୍ଷକ, ଘରେ ଅଭିଭାବକ ପିଲାଙ୍କ ଉପରେ ରଖନ୍ତୁ ନଜର : ସିବିକେ ମହାନ୍ତି

116

କନକ ବ୍ୟୁରୋ : କରୋନାର ତୃତୀୟ ଲହର ଆଶଂକା ନେଇ ଦେଶ ଏବଂ ରାଜ୍ୟରେ ଚିନ୍ତା ବଢୁଛି । କୁହାଯାଉଛି କରୋନାର ତୃତୀୟ ଲହର ଆସିଲେ ଛୋଟ ପିଲା ଏଥିରେ ଅଧିକ ପ୍ରଭାବିତ ହେବେ । ଏହାରି ମଧ୍ୟରେ ରାଜ୍ୟରେ ସ୍କୁଲ ମଧ୍ୟ ଖୋଲିଛି, ଆଉ ଏହାକୁ ନେଇ ଚିନ୍ତା ବଢିଥିବା ବେଳେ ଏନେଇ ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
କରୋନାର ତୃତୀୟ ଲହର ନେଇ ସିବିକେ ମହାନ୍ତି କହିଛନ୍ତି, ବୟସ୍କ ଲୋକମାନେ ପ୍ରାୟତଃ ସମସ୍ତେ ଟିକା ନେଇଗଲେଣି । କିନ୍ତୁ ପିଲାମାନେ ଏବେ ବି ବିପଦରେ ଅଛନ୍ତି । ବୟସ୍କମାନଙ୍କଠୁ ପିଲାଙ୍କୁ ସଂକ୍ରମଣ ବ୍ୟାପିବାର ଆଶଂକା ରହିଛି । ତେଣୁ ବୟସ୍କ ଲୋକ ନିଜେ ସଚେତନ ରହି ସଂକ୍ରମଣକୁ ରୋକିବାକୁ ପଡିବ । ଏବେ ସ୍କୁଲ ଖୋଲିଛି, ପିଲାମାନେ ସ୍କୁଲ ଯାଉଛନ୍ତି । ତେଣୁ ପିଲାମାନଙ୍କୁ ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ସ୍କୁଲରେ ଶିକ୍ଷକ ଏବଂ ଘରେ ବାପା ମାଆ ପିଲାଙ୍କ ଉପରେ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ସେ ଏହା ମଧ୍ୟ କହିଛନ୍ତି କି, କରୋନା କମିଯାଇଥିଲେ ବି କୋଭିଡ ନିୟମକୁ ସମସ୍ତେ ପାଳନ କରିବାକୁ ହେବ । ଦ୍ୱିତୀୟ ଲହର ସମୟରେ ଯେଉଁସବୁ କଟକଣାକୁ ପାଳନ କରାଯାଉଥିଲା, ସେହି ସବୁକୁ ଏବେ ବି ପାଳନ କରିବାକୁ ପଡିବ । ସତର୍କ ରହିଲେ ଘରେ ବୟସ୍କ ଲୋକଙ୍କଠୁ ଆରମ୍ଭ କରି ପିଲା ସମସ୍ତେ କରୋନାଠୁ ଦୁରରେ ରହିପାରିବେ ।