ଡିଏମଇଟି କହିଲେ ସଚେତନ ହେଲେ ବଢ଼ିବ ନାହିଁ ସଂକ୍ରମଣ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଭଳି ଉପାୟ ଗ୍ରହଣ କଲେ ଲାଗୁ ହେବନି ଲକଡାଉନ

ପୁଣି ଚିନ୍ତା ବଢାଉଛି କରୋନା

367
କନକ ବ୍ୟୁରୋ : ପୁଣି ଚିନ୍ତା ବଢାଉଛି କରୋନା । ମହାରାଷ୍ଟ୍ରରେ କରୋନା ସ୍ଥିତି ଭୟଙ୍କର ହେବା ପରେ ବର୍ତମାନର କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି ସିବିକେ ମହାନ୍ତି  । ସେ କହିଛନ୍ତି, ବର୍ତମାନ ସ୍ଥିତିରେ ଦୈନିକ ସଂକ୍ରମଣ ନେଇ ଲକଡ଼ାଉନ୍ କଥା ନାହିଁ । ହେଲେ ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ମହାରାଷ୍ଟ୍ର ଓ କେରଳରେ ଲକଡ଼ାଉନ୍ ଓ କିଛି ସ୍ଥାନରେ ନାଇଟ କର୍ଫ୍ୟୁ ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ସଂକ୍ରମଣ ବଢିନି । ଲୋକେ ନିଜେ ସଚେତନ ରହିଲେ, ଲକଡ଼ାଉନ ଏଡ଼ାଇ ହେବ । ପ୍ରତିଦିନ ଆମ ସର୍ଭିଲେନ୍ସ ଟିମ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତିି । କିନ୍ତୁ ୪କୋଟି ଲୋକଙ୍କୁ ପାଖକୁ ଯାଇ ହେବନି । ତେଣୁ ଯେଉଁ ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଉଛି, ସେମାନେ ନିଜେ ଜଣାନ୍ତୁ ଓ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି କହିଛନ୍ତି ଡ଼ିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।
ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କଡ଼ାକଡ଼ି ଭାବେ ପାଳନ କରାଯିବ କରୋନା ଗାଇଡଲାଇନ । ରାଜ୍ୟର ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର, ପୁଲିସ କମିସନର, ଡିସିପି, ଏସପି ଓ ସିଡିଏମଓଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ପୁଣିଥରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବା ପରେ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲା ଗୁଡିକରେ କୋଭିଡ ଗାଇଡଲାଇନ୍, ଯେପରି କଡ଼ାକଡ଼ି ପାଳନ ହେବ, ତାହାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ସାରାଦେଶରେ ସ୍ୱାଭାବିକ ଭାବେ ଯିବା ଆସିବା ହେଉଛି । ସତର୍କ ନହେଲେ ମହାରାଷ୍ଟ୍ର ଭଳି ପରିସ୍ଥିତି ଓଡ଼ିଶାରେ ଉପୁଜିପାରେ ବୋଲି ଆଶଙ୍କା କରିଛନ୍ତି ପ୍ରଦୀପ୍ତ ମହାପାତ୍ର । କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରି ସଂକ୍ରମଣ ରୋକିବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷ କରି ମାର୍କେଟ, ମନ୍ଦିର ଓ ଧର୍ମପୀଠ ଭଳି ଜନଗହଳିପୂର୍ଣ୍ଣ ଅଂଚଳରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ସେହିପରି କୋଭିଡ ପରୀକ୍ଷାକୁ ମଧ୍ୟ ଜୋର ଦିଆଯାଇଛି । ଗାଇଡଲାଇନ ଅନୁଯାୟୀ ଯଥେଷ୍ଟ ପରିମାଣରେ କୋଭିଡ୍ ପରୀକ୍ଷା କରିବାକୁ ଜିଲ୍ଲାପାଳ, ମୁନିସପାଲ କମିସନରଙ୍କୁ ପରାମର୍ଶ ଦିଆଯାଇଛି । ନିୟମର ଖିଲାପ ନକରିବା ପାଇଁ ସତର୍କବାଣୀ ଶୁଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।