କଂଗ୍ରେସ ଟ୍ରବୁଲ ସୁଟରଙ୍କ ବଡ ବୟାନ : ଡି କେ ଶିବକୁମାର କହିଲେ,ଜେଡିଏସ ସହ ମେଂଟ ସମ୍ଭାଳିବା ମୁସକିଲ । ରାମନଗର, ଚନ୍ନାପାଟଣା, ମହିଶୁର ଓ ହସନରେ ହୋଇଥିଲା କଡା ଟକ୍କର

26

କନକ ବ୍ୟୁରୋ : କର୍ଣ୍ଣାଟକରେ ସରକାର ଗଠନ ପୂର୍ବରୁ କଂଗ୍ରେସ ସଂକଟ ମୋଚକ ଡିକେ ଶିବକୁମାରଙ୍କ ବଡ ବୟାନ । ଆସନ୍ତାକାଲି ଏଚଡି କୁମାରସ୍ୱାମୀ ମେଂଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବାବେଳେ ମେଂଟ ସମ୍ଭାଳିବା ମୁସ୍କିଲ ବୋଲି କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର । କର୍ଣ୍ଣାଟକରେ ଜେଡିଏସ ସହ ସାମ୍ନାସାମ୍ନି ଲଢେଇ କରିଥିବା କଂଗ୍ରେସ ବିଧାୟକମାନଙ୍କ ପାଇଁ ବିରୋଧୀ ଗୋଷ୍ଠୀ ସହ ମେଂଟକୁ ଗ୍ରହଣ କରିବା କଷ୍ଟକର ଥିଲା ବୋଲି ଗଣମାଧ୍ୟମରେ କହିଛନ୍ତି ।

ସେପଟେ ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜେଡିଏସ ମୁଖ୍ୟ କୁମାରସ୍ୱାମୀ ଭେଟିଛନ୍ତି । ଏହାପରେ କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳର ରୂପରେଖ ସ୍ଥିର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । କର୍ଣ୍ଣାଟକ ଦାୟିତ୍ୱରେ ଥିବା କଂଗ୍ରେସ ନେତା କେସି ବେଣୁଗୋପାଳଙ୍କୁ ଆଲୋଚନା ପାଇଁ ଦାୟିତ୍ୱ ଦେଇଛନ୍ତି ରାହୁଲ ଗାନ୍ଧି । ହେଉଥିବା ଚର୍ଚ୍ଚା ଅନୁସାରେ ଆସନ୍ତାକାଲି କେବଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ । ଏହାର ୨୪ ଘଂଟା ଭିତରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନୂଆ ମୁଖ୍ୟମନ୍ତ୍ରୀ । ବହୁମତ ସାବ୍ୟସ୍ତ କରିବା ପରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଶପଥ ନେବା ସମ୍ଭାବନା ରହିଛି । ତେବେ ହେଉଥିବା ଚର୍ଚ୍ଚା ଅନୁସାରେ କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦ ମିଳିପାରେ । ୭୮ ବିଧାୟକ ଓ ଦୁଇ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସକୁ କର୍ଣ୍ଣାଟକ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ସମ୍ଭାବନା ପ୍ରକାଶ ପାଇଛି ।