ଗାଜିପୁର ସୀମା ଘଟଣା ପରେ କିଷାନ ମୋର୍ଚ୍ଚାର ଚେତାବନୀ, ପ୍ରଧାନମନ୍ତ୍ରୀଙ୍କୁ ନେଇ କହିଲେ ଏଭଳି କଥା

94

କନକ ବ୍ୟୁରୋ : ଗାଜିପୁର ସୀମାରୁ ବ୍ୟାରିକେଟ ହଟାଇବା ଘଟଣାକୁ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ସରକାରଙ୍କୁ ଚେତାବନୀ ଦେଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଗୁରୁନାମ ସିଂ ଚଢୁନୀ କହିଛନ୍ତି କି ଯଦି ସରକାର ବିରୋଧସ୍ଥଳରୁ କୃଷକମାନଙ୍କୁ ହଟାଇବାକୁ ଚେଷ୍ଟା କରିବେ ତେବେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଦୀପାବଳି ପାଳନ କରିବେ ।

କହିରଖୁ କି ଦିଲ୍ଲୀ ପୋଲିସ ଲଗାତରଭାବେ ଦୁଇଦିନ ହେବ ବ୍ୟାରିକେଟ ଭାଙ୍ଗିବାରେ ଲାଗିଛି । ଏହାକୁ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଭାରତୀୟ କିଷାନ ୟୁନିୟନର ନେତାମାନେ ସରକାରଙ୍କୁ ଧମକ ଦେଉଛନ୍ତି । ପୋଲିସ ବ୍ୟାରକେଟ ହଟାଇବାର ଦୁଇଦିନ ହୋଇଥିଲେ ବି ସେଠାରେ କୃଷକମାନେ ଧାରଣାରେ ବସିଛନ୍ତି । ଏହି କାରଣରୁ ସରକାର ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ ଖୋଲିପାରି ନାହାଁନ୍ତି । ସେପଟେ କୃଷକନେତାମାନେ କହିଛନ୍ତି କି ଯେତେବେଳ ପର୍ଯ୍ୟନ୍ତ ପୋଲିସ ଓ ତାଙ୍କ ଟେଣ୍ଟ ଏଠାରେ ରହିବ ସେପର୍ଯ୍ୟନ୍ତ କୃଷକମାନେ ବସି ରହିବେ ।

ଅନ୍ୟପଟେ ବ୍ୟାରିକେଟ ଭାଙ୍ଗିବାକୁ ନେଇ କୃଷକନେତା କହିଛନ୍ତି କି କୃଷକମାନେ କେବେବି ଏଠାରେ ରାସ୍ତା ଅବରୋଧ କରିନାହାଁନ୍ତି । ସମସ୍ତ ଧାରଣା ସ୍ଥଳର ଦୁଇପଟେ ସାଧାରଣ ଲୋକଙ୍କ ଯାତାୟତ ପାଇଁ ରାସ୍ତା ଖୋଲା ରହିଛି ।

ଦିଲ୍ଲୀ ପୋଲିସ ଟିକରୀ ବୋର୍ଡରରେ ଯାତାୟତ ପାଇଁ ୪୦ ଫୁଟ ରାସ୍ତା ଖୋଲିବାକୁ ପ୍ରୟାସ କରିଛି । ଏହାକୁ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାମାନେ କହିଛନ୍ତି କି ପୋଲିସ ହିଁ ରାସ୍ତା ଅବରୋଧ କରିଥିଲା । ଏନେଇ କୃଷକନେତାମାନେ କହିଛନ୍ତି ଯଦି ସରକାର ପୁରା ରାସ୍ତା ଖୁଲିବାକୁ ଚାହୁଁଛନ୍ତି ତେବେ ତୁରନ୍ତ କୃଷକମାନଙ୍କ ଦାବି ପୂରଣ କରନ୍ତୁ ।