ମୋଦି କହିଲେ ଆଗୁଆ ଆସିଲା ଦୀପାବଳି ! ଜିଏସଟି କାଉନସିଲର ନୂଆ ନିଷ୍ପତି ପରେ ୨୭ଟି ସାମଗ୍ରୀ ଉପରେ କମିଛି ଟିକସ

39

କନକ ବ୍ୟୁରୋ : ୧୫ ଦିନ ଆଗରୁ ଦେଶରେ ଆସିଛି ଦିୱାଲି । ଜିଏସଟି କାଉନସିଲ ବୈଠକରେ ୨୭ଟି ସାମଗ୍ରୀ ଉପରୁ ଟିକସ ହ୍ରାସ ପରେ ସମସ୍ତ ପ୍ରମୁଖ ଖବର କାଗଜ ଏଭଳି ହେଡ ଲାଇନ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨ ଦିନିଆ ଗୁଜରାଟ ଗସ୍ତରେ ଥିବା ମୋଦି ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାରକୁ ଜୋରଦାର କରିଛି ବିଜେପି ।

ଜିଏସଟିକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ କଡା ସମାଲୋଚନା ପରେ ଏହି ପ୍ରସଙ୍ଗ ଉଠାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି ମୋଦି । ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା ଲାଗୁ ହେବା ପରେ ବ୍ୟବସାୟୀଙ୍କ ସମସ୍ୟାର ସମାଧାନ ପାଇଁ ୩ ମାସର ଅବଧି ରଖିଥିଲେ କେନ୍ଦ୍ର ସରକାର । ଜିଏସଟିକୁ ନେଇ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ବିଚାର କରି ଏ ସଂପର୍କିତ କାଉନସିଲ ଆବଶ୍ୟକ ସଂଶୋଧନ କରିବ ବୋଲି ପ୍ରାବଧାନ କରାଯାଇଛି ।

ଗତକାଲି ଜିଏସଟି କାଉନସିଲ ବୈଠକରେ ନିଆଯାଇଥିବା ନୂଆ ନିଷ୍ପତିକୁ ସମସ୍ତେ ଏକ ସ୍ୱରରେ ସ୍ୱାଗତ କରିଥିବା ମୋଦି କହିଛନ୍ତି । ଗୁଜରାଟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୋଦି ।