କନକ ବ୍ୟୁରୋ : ସାରା ଦେଶରେ ପାଳନ ହେଲା ଆଲୋକର ପର୍ବ ଦୀପାବଳି । କଟକଣା ସତ୍ୱେ ଦୀପ ଲଗାଇ, ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି ଲୋକେ । ନିଜର ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସହ ଏହି ଖୁସିର ଦିନକୁ ମନଭରି ପାଳନ କରିଛନ୍ତି ଲୋକେ । ରଙ୍ଗୀନ ଆଲୋକମାଳାରେ ଝଲସୁଛି ପରିବେଶ । ଏଥର କେବଳ ସବୁଜ ବାଣର ବ୍ୟବହାର କରାଯାଉଛି । ଅତ୍ୟଧିକ ପ୍ରଦୂଷଣ ଓ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ କଟକଣା ଲଗାଇ ଥିଲେ ସୁପ୍ରିମକୋର୍ଟ । କଟକଣା ଭିତରେ ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସରେ ଆଲୋକର ଏହି ପର୍ବକୁ ପାଳନ କରାଯାଉଛି ।

Advertisment

ରାଜ୍ୟର କୋଣ ଅନୁକୋଣରୁ ବାଣ ଫୁଟାଇ ଉତ୍ସବ ପାଳନ କରୁଥିବା ଚିତ୍ର ଆସିଛି । ଏହି ଆନନ୍ଦର ମୁହୂର୍ତକୁ କେହି ହାତଛଡ଼ା କରିବାକୁ ଚାହିଁନାହାନ୍ତି । ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ସବୁଠି ପାଳନ କରାଯାଉଛି ଦୀପାବଳି । ଭଳିକି ଭଳି ଆତସବାଜିରେ କମ୍ପି ଉଠିଛି ପରିବେଶ । ରଙ୍ଗବେରଙ୍ଗ ଆଲୋକରେ ଝଲସୁଛି ଆକାଶ । ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇଛନ୍ତି । ଭାରତୀୟ ସଂସ୍କୃତିରେ ଦୀପାବଳିର ବିଶେଷ ଗୁରୁତ୍ୱ ରହିଛି । ପୌରାଣିକ ମତ ଅନୁସାରେ ରାବଣଙ୍କୁ ନିହତ କରିବା ପରେ ଏହି ଦିନ ଅଯୋଧ୍ୟାକୁ ଫେରିଥିଲେ ପ୍ରଭୁ ରାମଚନ୍ଦ୍ର । ତାଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟାର ଘରେ ଘରେ ଦୀପ ପ୍ରଜ୍ଜୋଳନ କରାଯାଇଥିଲା । କୁହାଯାଏ, ଏହି ଦିନକୁ ମନେ ରଖିବା ପାଇଁ ଦୀପାବଳି ପାଳନ ହୋଇଆସୁଛି ।