ସାରା ଦେଶରେ ଆଜି ଆଲୋକର ପର୍ବ ଦୀପାବଳିକୁ ପାଳନ କରୁଛନ୍ତି ଲୋକେ । ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଦୀପାବଳିର ଚିତ୍ର ସାମ୍ନାକୁ ଆସୁଛି । ଅନେକ ସ୍ଥାନରେ ପରିବେଶକୁ ଧ୍ୟାନରେ ରଖି ଦୀପାବଳି ପାଳନ କରାଯାଉଛି । ପ୍ରଶାସନ ପକ୍ଷରୁ ମଧ୍ୟ କିଛି ନିୟମ କରାଯାଇଛି । ତାମିଲନାଡୁରେ ଖାସ୍ ସମୟରେ ସେଲିବ୍ରେସନ୍ ପାଇଁ ସମୟ ନିର୍ଦ୍ଧାରିତ ହୋଇଛି । ଏହି କାରଣରୁ ସକାଳୁ ସକାଳୁ ହିଁ ଘରେ ଦୀପ ଏବଂ ହାତରେ ବାଣ ଧରି ବାହାରକୁ ବାହାରି ଗଲେଣି ଲୋକେ । ତାମିଲନାଡୁ ରାଜ୍ୟ ସରକାର ଦୀପାବଳି ମଉକାରେ ବାଣ ଫୁଟାଇବା ପାଇଁ ଲୋକଙ୍କୁ ସକାଳୁ ଏବଂ ସନ୍ଧ୍ୟା ବେଳେ ଗୋଟିଏ ଗୋଟିଏ ଘଣ୍ଟାର ସମୟ ଦେଇଛନ୍ତି । ନିୟମ ମୁତାବକ , ସକାଳ ୬ ରୁ ୭ ଏବଂ ସନ୍ଧ୍ୟା ୭ ରୁ ୮ ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ନିୟମ ରହିଛି । ରବିବାର ସକାଳ ୬ ରୁ ଚେନ୍ନାଇରେ ଲୋକମାନେ ବାଣ ଫୁଟାଇବାକୁ ଲାଗିଥିଲେ । ଆପଣଙ୍କୁ କହିରଖୁଛୁ ପ୍ରଦୂଷଣକୁ ଧ୍ୟାନରେ ରଖି ତାମିଲନାଡୁରେ କିଛି ନିୟମ କରାଯାଇଛି ଲୋକମାନେ ମଧ୍ୟ ଏହି ନିୟମକୁ ପାଳନ କରୁଛନ୍ତି ।

Advertisment

ଅନ୍ୟପଟେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସକାଳୁ ଟ୍ୱିଟ୍ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଦେଶବାସୀଙ୍କୁ ଦୀପାବଳି ଭଳି ପବିତ୍ର ପର୍ବର ଶୁଭେଚ୍ଛା ଜଣାଇଥିଲେ ।