ଦୀପାବଳିରେ ଅଘଟଣ : ବାଣ ବିସ୍ଫୋରଣରେ ଢେଙ୍କାନାଳ ଓ କେନ୍ଦ୍ରାପଡାରେ ୨ ମୃତ, ୭ ଆହତ

 ଆଠଗଡରେ ନିଆଁ ଲାଗି ଜଳିଗଲା ୩ ବଖରା ଘର; ସେପଟେ ଖୋର୍ଦ୍ଧା ଟାଙ୍ଗୀରେ ବଡବଡୁଆ ଡାକିବା ବେଳେ ଦଳିଦେଲା ଦନ୍ତା 

204

କନକ ବ୍ୟୁରୋ : ଦୀପାବଳିରେ ଅଘଟଣ । ବାଣ ବିସ୍ଫୋରଣରେ ଢେଙ୍କାନାଳ ଓ କେନ୍ଦ୍ରାପଡାରେ ୨ଜଣ ମୃତ ଓ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ ବାରଦା ଗାଁରେ ଘଟିଛି ଏହି ଅଘଟଣ । ବାରଦା ଗାଁର ଶ୍ରୀ ଅରବିନ୍ଦ ଆବାସିକ ବିଦ୍ୟାଳୟ ପାଖ ପଡିଆରେ ବାଣ ବିସ୍ଫୋରଣ ହେବାରୁ ଜଣେ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଦୁଇ ଜଣଙ୍କୁ ଢେଙ୍କାନାଳ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ତିନି ଜଣ ଯୁବକ ଏକ ଏକ ବାଇକରେ ବାଣ ଭର୍ତ୍ତି ବ୍ୟାଗ ଧରି ଯାଉଥିଲେ । ତେବେ ସ୍କୁଲ ପାଖ ପଡିଆରେ ବାଣ ପରୀକ୍ଷା କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ସେହିପରି କେନ୍ଦ୍ରାପଡାରେ ବାଣଦୋକାନରେ ନିଆ ଲାଗିବାରୁ ଅଘଟଣ ଘଟିଛି । ସଦର ଥାନା ଅଂଚଳର ଯୁଇଯାସପୁର ଗାଁରେ ବାଣ ଦୋକାନରେ ବିସ୍ଫୋରଣରେ ଜଣେ ମୃତ, ୩ ଗୁରୁତର ଆହତ ହୋଇଛନ୍ତି । ଯୁଇଯାସପୁର ଗାଁରେ ବାଣ ବିକ୍ରି ଚାଲିଥିବା ବେଳେ ହଠାତ୍ ନିଆଁ ଲାଗିଯିବାରୁ

ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବାଣ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ମହାକାଳପଡା ବ୍ଲକ ଖାରନାଶି ଗାଁରେ ଖଇ ବାଣ ବିସ୍ଫୋରଣରେ ହେବାରୁ ୨ ନାବାଳକ ଗୁରୁତର ଆହତ ହୋଇଛନ୍ତି । ଆଠଗଡ ତିଗିରିଆ ବ୍ଲକ ପୁରୁଣା ତିଗିରିଆ ଗାଁରେ ବାଣ ନିଆଁରେ ଜଳିଗଲା ୩ ବଖରା ଚାଳ ଘର । ତିଗିରିଆ ଗାଁର ଧରଣି ରାଉତଙ୍କ ଘରେ ବାଣ ନିଆଁ ପଡି ତିନି ବଖରା ଚାଳ ଘର ଜଳିଯାଇଛି ।

ଦୀପାବଳିରେ ବଡ ବଡିଆଙ୍କୁ ଡାକିବାକୁ ଯାଇ ଗଜରାଜଙ୍କ ଶିକାର ହେଲେ ଯୁବକ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ବ୍ଲକ ରମ୍ଭାବିଲି ଗାଁର ଶରତ ଜେନା ଅନ୍ୟ ସାହିରେ ଥିବା ଘରକୁ ବଡ ବଡିଆ ଡାକିବା ପାଇଁ ଯିବା ବେଳେ ହାତୀ ହାବୁଡରେ ପଡିଥିଲେ । ହାତୀ ଶରତଙ୍କୁ ଆକ୍ରମଣ କରି ମୁଣ୍ଡକୁ ଗୋଡରେ ଦଳିଦେଇଛି ।