‘ଭୋକ ଶୋଷରେ ମୋତେ ପାହାଚ ଚଢାଇଲେ…୩ ଥର ବେହୋସ୍ ହୋଇଗଲି’: ଜଣାଶୁଣା ବ୍ୟବସାୟୀ ଗୌତମ ସିଂଘାନିଆଙ୍କ ଉପରେ ପତ୍ନୀଙ୍କ ଅଭିଯୋଗ

276

କନକ ବ୍ୟୁରୋ: ରେମଣ୍ଡ କମ୍ପାନୀର ସିଏମଡି ଗୌତମ ସିଂଘାନିଆ ଓ ତାଙ୍କ ପତ୍ନୀ ନବାଜ ମୋଦୀଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ବିବାଦ ବଢିବାରେ ଲାଗିଛି । ଯେବେଠୁ ଛାଡପତ୍ର ପାଇଁ ଗୌତମ ସିଂଘାନିଆ ଘୋଷଣା କରିଛନ୍ତି ସେବେଠୁ ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛନ୍ତି ପତ୍ନୀ ନବାଜ ।

୩୨ ବର୍ଷର ସମ୍ପର୍କ ତୁଟିବାକୁ ଯାଉଛି । ଦୀପାବଳି ପରେ ଗୌତମ , ପତ୍ନୀ ନବାଜ୍ ମୋଦୀଙ୍କୁ ଛାଡପତ୍ର ଦେବେ ବୋଲି ଘୋଷଣା କରିଥିଲେ । ଏହାପରେ ଗୌତମଙ୍କ ଉପରେ ଗୋଟିଏ ପରେ ଗୋଟିଏ ଗୁରୁତର ଅଭିଯୋଗ ଆଣୁଛନ୍ତି ନବାଜ୍ ମୋଦୀ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ତାଙ୍କର ବ୍ଲଡ ପ୍ରେସର ସହ ସୁଗାର ସମସ୍ୟା ରହିଛି । ଏହା ଜାଣି ମଧ୍ୟ ନିଜର ସ୍ୱାର୍ଥ ପାଇଁ ବିନା ଖାଦ୍ୟ ଓ ପାନୀୟରେ ତାଙ୍କୁ ତିରୁପତିଙ୍କ ମନ୍ଦିରକୁ ଯିବା ପାଇଁ ପାହାଚ ଚଢାଇଲେ ଗୌତମ । ବାଟରେ ୩ ଥର ସେ ବେହୋସ୍ ମଧ୍ୟ ହୋଇଗଲେ । ତାଙ୍କର ସ୍ୱାସ୍ଥ୍ୟ ଖରାପ ରହୁଥିଲେ ବି ଗୌତମଙ୍କର ଏହାକୁ ନେଇ ଟିକେ ବି ଚିନ୍ତା ନାହିଁ ବୋଲି ଅଭିଯୋଗ କରିଛନ୍ତି ପତ୍ନୀ ନବାଜ୍ ।
ଛାଡପତ୍ର ଘୋଷଣା ପରେ ଗୌତମଙ୍କ ୧୧ହଜାର କୋଟି ଟଙ୍କା ଦାବି କରିଛନ୍ତି ପତ୍ନୀ ନବାଜ୍ । ଏହା ଦେବାକୁ ଗୌତମ ରାଜି ଥିବା ମଧ୍ୟ ଜଣାପଡିଛି । ଏବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବଢିବାକୁ ଲାଗିଥିବାବେଳେ ଗୌତମଙ୍କୁ ତାଙ୍କ ବାପା ତଥା ରେମଣ୍ଡ କମ୍ପାନୀ ଚିଫ୍ ବିଜୟପତି ସିଂଘାନିଆ ସମର୍ଥନ ଜଣାଇଛନ୍ତି ।