ରଣଜୀ କ୍ରିକେଟ ଛାଡି କରୁଥିଲେ ୟୁପିଏସସିର ପ୍ରସ୍ତୁତି…ବିନା କୋଚିଂରେ ସଫଳତା ପାଇଲେ ମନୋଜ

1,699

କନକ ବ୍ୟୁରୋ: ପ୍ରକାଶ ପାଇଛି ୟୁପିଏସି ସିଭିଲ ସର୍ଭିସର ପରୀକ୍ଷା ଫଳ । ଏଥିରେ ରାଜସ୍ଥାନର କୁନ୍ଦନ ଗାଁର ମନୋଜ ମହରିଆ ସଫଳତା ପାଇଛନ୍ତି । ସାରା ଦେଶରେ ସେ ୬୨୮ତମ ସ୍ଥାନରେ ରହିଛନ୍ତି । ମନୋଜ ପରିବାର ବଡ ପୁଅ ଭାବେ ସବୁ ଦାୟିତ୍ୱ ତୁଲାଇ ଆସିଛନ୍ତି । ତାଙ୍କ ବାପାଙ୍କ ଦେହାନ୍ତ ପରେ ସେ ନିଜ ପରିଶ୍ରମ ବଳରେ ଏହି ବଡ ସଫଳତା ହାସଲ କରିଛନ୍ତି । ପରୀକ୍ଷାର ଫଳ ଜଣାପଡିବା ପରେ ମନୋଜଙ୍କ ମାଆ ତାରା ଦେବୀ ଭାବବିହ୍ୱଳ ହୋଇଛନ୍ତି । ସେ କହିଛନ୍ତି ତାଙ୍କ ସ୍ୱାମୀଙ୍କ ସ୍ୱପ୍ନକୁ ପୁଅ ପୂରଣ କରିଛି ।

ମନୋଜ କହିଛନ୍ତି, ସେ ବିନା କୋଚିଂରେ ଘରେ ରହି ପାଠପଢା ଜାରିରଖିଥିଲେ । ଘରେ ତାଙ୍କର ପ୍ରସ୍ତୁତି ଆଜି ତାଙ୍କୁ ଏହି ସଫଳତା ଦେଇଛି । ମନୋଜଙ୍କ ସଫଳତା ସାରା ସହରବାସୀଙ୍କୁ ଖୁସି କରିଛି । ଏହି ଖବର ଜଣାପଡିବା ପରେ ମନୋଜଙ୍କ ପରିବାର ସଦସ୍ୟ ଖୁସି ମନାଇଛନ୍ତି ।

ମନୋଜ ବର୍ତ୍ତମାନ ସୋସିଓଲୋଜିରେ ଏମଏ କରୁଛନ୍ତି । ଗାଁରେ ୧୦ ଶ୍ରେଣୀ ପାଠପଢାପରେ ସେ ସିକରରୁ ଦ୍ୱାଦଶ ଶ୍ରେଣୀ ପାସ କରିଥିଲେ । ଏହା ପରେ ସେ କ୍ରିକେଟରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ମନୋଜ ଜଣେ ରଣଜୀ ଖେଳାଳୀ ମଧ୍ୟ । ୨୦୧୮ ମସିହାରେ ଆଘାତ କାରଣରୁ ସେ କ୍ରିକେଟ ଛାଡିଦେଇଥିଲେ । କ୍ରିକେଟ ଛାଡିବା ପରେ ସେ ପାଠପଢା ଜାରିରଖିଥିଲେ । ଅନେକ ସରକାରୀ ପରୀକ୍ଷାରେ ସେ ସଫଳତା ପାଇଥିଲେ । ତେବେ ଆଇଏଏସ ହେବାର ଲକ୍ଷ ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦେଇଥିଲା । ଲକଡାଉନ ସମୟରେ ସେ ୟୁପିଏସସିର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

ସେ କୁହନ୍ତି ଯେ କୋଚିଂର ପାଠପଢା ତାଙ୍କୁ ଅସହଜ ଲାଗୁଥିଲା । ଏଥିପାଇଁ ସେ ନିଜେ ନିଜେ ଘରେ ପଢୁଥିଲେ । ସେ ଚଳିତ ଥର ୟୁପିଏସସି ପାସ କରିଥିଲେ ବି ନିଜର ଆଇଏଏସର ସ୍ୱପ୍ନ ସାକାର କରିବା ପାଇଁ ଆଉ ଥରେ ଏହି ପରୀକ୍ଷା ଦେବେ । ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ସେ କହିଛନ୍ତି ଯେଉଁଠାରୁ ଆପଣଙ୍କୁ କିଛିବି ଜ୍ଞାନ ମିଳୁଛି ତାକୁ ଗ୍ରହଣ କରନ୍ତୁ । ପ୍ରସ୍ତୁତି ସମୟରେ ଆପଣଙ୍କୁ ଅନେକ ଜିନିଷ ଛାଡିବାକୁ ପଡିବ । ସଫଳତା ପାଇବା ପାଇଁ ଆପଣଙ୍କୁ ଅନେକ ମୂଲ୍ୟ ଦେବାକୁ ପଡିବ ।