କନକ ବ୍ୟୁରୋ : ଆରଡ଼ିର ବାବା ଆଖଣ୍ତଳମଣିଙ୍କ ମନ୍ଦିରରେ ଜଣେ ସେବାୟତଙ୍କୁ ମାଡ଼ ମରାଯିବା ଘଟଣାକୁ କେନ୍ଦ୍ରକରି ଉେତ୍ତଜନା ଦେଖାଦେଇଛି। ମାଡ଼ ମାରିଥିବା ପୁଲିସ୍ କନେଷ୍ଟବଳଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆରଡ଼ି ପୀଠରେ ଦୈନଦିନ ନୀତିକାନ୍ତି ସହ ଗଣେଶ ପୂଜା ନୀତି ଚାଲିଥିଲା। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଲାଗି ରହିଥିଲା। ସକାଳ ୧୦ଟାରେ ମଣିବାବାଙ୍କ ପଅଡ଼ଖିଆ ଅନ୍ନନୀତି ଭୋଗ ଲାଗି ହେଉଥିବା ସମୟରେ ସେବାୟତ ସ˚ଜୟ ପଣ୍ତା ମନ୍ଦିରରୁ ଫେରୁଥିଲେ। ଏହି ସମୟରେ ଆରଡି ଫାଣ୍ତିର କନେଷ୍ଟବଳ ମୋହନ ପୁହାଣ ଶ୍ରଦ୍ଧାଳୁଙ୍କ ଭିଡ଼ ଘଟଣାକୁ ନେଇ ସଂଜୟଙ୍କୁ ମାଡ଼ ମାରିଥିଲେ।

Advertisment

publive-imageସେଠାରେ ଉପସ୍ଥିତ ଥିବା କିଛି ସେବାୟତ ହସ୍ତକ୍ଷେପ କରିବା ପରେ ମୋହନ ଘଟଣାସ୍ଥଳରୁ ପଳାଇଥିଲେ। ଏହି ଘଟଣାକୁ ନେଇ ମନ୍ଦିର ସେବାୟତଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ମନ୍ଦିରର ସେବାପୂଜା ଆଦି ବନ୍ଦ କରି ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ, ମନ୍ଦିର ଟ୍ରଷ୍ଟି ତଥା ଉପ-ଜିଲ୍ଲାପାଳ ପୀତାମ୍ବର ସାମଲ ଘଟଣାର ତଦନ୍ତ କରିବା ପାଇଁ ଏସପିଙ୍କ ସହ ଆଲୋଚନା କରିଥିଲେ। ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ କନେଷ୍ଟବଳ ଶ୍ରୀ ପୁହାଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବା ପରେ ସ୍ଥିତି ଶାନ୍ତ ପଡିଛି । ବର୍ତମାନ ସମୟରେ ମିଳିଥିବ ସୂଚନା ଅନୁସାରେ ବାବା ଆଖଣ୍ଡଳମଣୀଙ୍କର ସମସ୍ତ ନିତିକାନ୍ତି ଶୃଙ୍ଖଳିତ ଭାବରେ ଚାଲିଛି ।