କନକ ବ୍ୟୁରୋ : ଚିଠି ଖୋଲିଦେଲା କଂଗ୍ରେସ ଦଳର ଭିତିରି କଥା । ପୁଣି ସାମ୍ନାକୁ ଆସିଲା କଂଗ୍ରେସ କନ୍ଦଳ । ରାଜ୍ୟ ସଭାପତିଙ୍କୁ ଚିଠି ଲେଖି ଦଳର ଏକ ମାତ୍ର ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହୀନୀପତି । ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଲଖ ସରିଥିବା ବେଳେ କଂଗ୍ରେସ ଦଳର ଏ କନ୍ଦଳକୁ ଏବେ ଚର୍ଚ୍ଚା ଜୋର ଧରିଛି ।
ପୁଣି ପଦାରେ ପଡିଲା କଂଗ୍ରେସର ଦଳୀୟ କନ୍ଦଳ । ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପଦର୍ଶନ କରିଥିବା ଏକମାତ୍ର ଜିଲ୍ଲା କୋରାପୁଟ କଂଗ୍ରେସରେ ବିବାଦ ସାମ୍ନାକୁ ଆସିଛି । ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହୀନୀପତି ଏବଂ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ପାଇଁ କୋରାପୁଟ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବା ସାଂସଦ କହୂୁଥିବା ବେଳେ ସାଂସଦଙ୍କ ପାଇଁ କୋରାପୁଟରେ କଂଗ୍ରେସ ପୋରାଧ୍ୟକ୍ଷ ପଦ ହାତେଇପାରିନି ବୋଲି ଅଭିଯୋଗ ଆଣିଛନ୍ତି ମିନାକ୍ଷୀ । ଏଭଳି ଅଭିଯୋଗ ଆଣିବା ସହ ମିନାକ୍ଷୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସାଂସଦ ସହଯୋଗ କରୁନଥିବାରୁ ଜିଲ୍ଲାର ପୌର ନିର୍ବାଚନ ଦାୟିତ୍ୱ ତାଙ୍କୁ ସମ୍ପୂର୍ଣ୍ଣରୁପେ ଦେବାକୁ ଦାବି କରିଛନ୍ତି ।
କିନ୍ତୁ ଦଳ ଭିତରେ ଥିବା କନ୍ଦଳକୁ ସାଂସଦ ଲୁଚାଉଥିବା ଦେଖିବାକୁ ମିଳିଛି । ମିନାକ୍ଷୀଙ୍କ ଅଭିଯୋଗ ଉପରେ ସାଂସଦ କହିଛନ୍ତି ଦଳରେ ସବୁ ଠିକ୍ ଅଛି । ମୁଁ ଯେତିକି ସମୟ ପାଉଛି କାମ କରୁଛି । ରାଜ୍ୟରେ ମୁଁ ଜଣେ ମାତ୍ର କଂଗ୍ରେସ ସାସଂଦ । ତେଣୁ ସବୁ ଜିଲ୍ଳାରୁ ମତେ ନିମନ୍ତ୍ରଣ ରହିଛି । ତେଣୁ ସବୁ ସ୍ଥାନକୁ ଦେଖିବାକୁ ପଡ଼ୁଛି ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା ।
କେତେବେଳେ ରାଜ୍ୟ ସଭାପତିଙ୍କୁ ନେଇ ତ କେତେବେଳେ ସାଂସଦ ଓ ବିଧାୟକଙ୍କୁ ନେଇ ରାଜ୍ୟ କଂଗ୍ରେସ କନ୍ଦଳର ସମାଧାନ ହୋଇପାରୁନି । ଫଳରେ କଂଗ୍ରେସ ଏବେ ରାଜ୍ୟରେ ତୃତୀୟ ସ୍ଥାନକୁ ଖସିଆସିଛି । ଯଦି ଏଭଳି ସମସ୍ୟା ଲାଗିରହେ, ତେବେ ରାଜ୍ୟରେ କଂଗେସର ସ୍ଥତି ଆହୁରି ଦୁର୍ବଳ ହୋଇଯିବାର ଆଶଙ୍କା ରହିଛି ।