ଚାଷୀ ଆନ୍ଦୋଳନ ବେଳେ ଦୋହଲିଗଲା ଦିଲ୍ଲୀ । ବେକାବୁ ହୋଇଗଲା ଟ୍ରାକ୍ଟର ରାଲି । ବ୍ୟାରିକେଡ ଭାଙ୍ଗିଲେ, ପୁଲିସ ସହ ଲଢିଲେ ଆନ୍ଦୋଳନକାରୀ 

166

କନକ ବ୍ୟୁରୋ : ଦିଲ୍ଲୀରେ ଟ୍ରାକ୍ଟର ରାଲିକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା । କଟକଣାକୁ ଖାତିର୍ ନକରି, ନିର୍ଦ୍ଧାରିତ ସୀମାକୁ ଅତିକ୍ରମ କରି, ଚାଷୀଙ୍କ ଟ୍ରାକ୍ଟର ପରେଡ୍ ଯେତେବେଳେ ଆଗକୁ ମାଡ଼ି ଚାଲୁଥିଲା, ଚାଷୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା ପୁଲିସ୍ । ଆଉ ସାମ୍ନାକୁ ଆସିଥିଲା ଖଣ୍ଡଯୁଦ୍ଧର ଚିତ୍ର । ରାସ୍ତା ଉପରେ ପୁଲିସ୍-ଚାଷୀଙ୍କ ମୁହାଁମୁହିଁର ଚିତ୍ର । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ମୃଦୁ ଲାଠି ଚାର୍ଚ୍ଚ କଲା, ଲୁହବୁହା ଗ୍ୟାସ୍ ମାଡ଼ କଲା ।

ସିଙ୍ଘୁ ବର୍ଡର, ଗାଜିପୁର ବର୍ଡର, ନଙ୍ଗଲୋଇ, ଅସ୍କର ଧାମ, କର୍ଣ୍ଣାଲ ବାଇପାସ୍ । ଏମିତି ଏକାଧିକ ସ୍ଥାନରେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ଚାଷୀ । ରାଜରାସ୍ତା ଉପରେ ଯାତ୍ରୀବାହୀ ବସ୍କୁ ଭାଙ୍ଗି ଚୁରମାର କରିଦିଆଯାଇଛି । ଶାନ୍ତିପୂର୍ଣ୍ଣ ରାଲିର ଅନୁମତି ନେଇ ବାହାରିଥିବା ଟ୍ରାକ୍ଟର ରାଲି, ହିଂସାତ୍ମକ ରୂପ ନେଇଥିଲା, ଯେତେବେଳେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଯାଇଥିବା ଖବର ସାମ୍ନାକୁ ଆସିଲା । ଦଳ ଦଳ ହୋଇ ଚାଷୀ ରାସ୍ତା ଉପରକୁ ଓହ୍ଲାଇ ଆସିଲେ । ଏମିତି କି କିଛି ଲୋକଙ୍କ ହାତରେ ଥିଲା ଖଣ୍ଡା ।

ହଜାର ହଜାର ଟ୍ରାକ୍ଟର ମାଡ଼ି ଆସୁଥିଲା । ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ମାଡ଼ି ଆସୁଛି ଟ୍ରକ୍ଟର । ଆଉ କାଳେ ନିଜ ଉପରକୁ ମାଡ଼ି ଯିବ ଟ୍ରାକ୍ଟର ଏହି ଭୟରେ ଜୀବନ ବିକଳରେ ଛିନଛତ୍ର ହୋଇଯାଉଛନ୍ତି ପୁଲିସ୍ କର୍ମୀ । ଚାଷୀଙ୍କ ଆକ୍ରମଣାତ୍ମ ଆଭିମୁଖ୍ୟ ଆଗରେ ହାତ ଟେକିଦେଇଥିଲେ ପୁଲିସ୍ କର୍ମୀ । ଆଉ ଚାଷୀ ଦିଲ୍ଲୀ ଲାଲକିଲ୍ଲା ଯାଏଁ ମାଡ଼ି ଯାଇଥିଲେ ।

ଦିଲ୍ଲୀ ରାଜରାସ୍ତାରେ ଅରାଜକତାର ଏହି ସବୁ ଦୃଶ୍ୟ ଭିତରେ- ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ବୟାନଜାରି କରି କୁହାଯାଇଛି- ଆମର ଉଦ୍ୟମ ସତ୍ୱେ କିଛି ବ୍ୟକ୍ତି, ନିର୍ଦ୍ଧାରିତ ସୀମାର ଉଲଂଘନ କରିଥିଲେ ଏବଂ ନିନ୍ଦନୀୟ ଘଟଣାରେ ଲିପ୍ତ ଥିଲେ । ଆଉ କିଛି ଅସାମାଜିକ ତତ୍ୱ ବଳପୂର୍ବକ ପଶିଆସିଥିଲେ, ତେବେ ସାମଗ୍ରୀକ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିଛି । ଶାନ୍ତି ଆମର ଶକ୍ତିି, ଅଶନ୍ତି ଆନ୍ଦୋଳନକୁ ଦୁର୍ବଳ କରିବ ବୋଲି ପୂର୍ବରୁ କୁହାଯାଇଥିଲା ବୋଲି ମିଳିତ କୃଷକ ମୋର୍ଚ୍ଚ ପକ୍ଷରୁ କୁହାଯାଇଛି ।

ନାଗରିକର ସ୍ୱାଧିନତା ଓ ଅଧିକାରର ଗୁଣଗାନ କରି ଯେତେବେଳେ ଦିଲ୍ଲୀର ଛାତି ଉପରେ ଗଣତନ୍ତ୍ର ଦିବସ ପାଳନ କରାଯାଉଥିଲା, ଠିକ୍ ସେତିକି ବେଳେ ସେହି ସ୍ୱାଧିନତା ଓ ଅଧିକାରର କଥା କହି, କିଛି ଲୋକ ସବୁସୀମା ଟିପି ଯାଇଥିଲେ । ଗଣତନ୍ତ୍ରର ଉତ୍ସବକୁ ଦୃଷ୍ଟିରେ ରଖି ମାତ୍ର ୫ ହଜାର ଟ୍ରକ୍ଟରକୁ ରାଲି କରିବାକୁ ଅନୁମତି ଦିଆଯାଇଥିଲା । ପ୍ରଥମରୁ ସବୁ ଠିକ୍ଠାକ୍ ବି ଚାଲିଥିଲା । ହେଲେ ଅଚାନକ୍ ବେକାବୁ ହୋଇ କିଛି ଚାଷୀ ଅରାଜକତାର ବାତାବରଣ ସୃଷ୍ଟି କରିଥିଲେ ।

ଯେତେବେଳେ ଦିଲ୍ଲୀର ଚାଷୀ ଆନ୍ଦୋଳନ ଉପରେ ସାରା ଦେଶର ନଜର ଥିଲା । କୃଷୀ ଆଇନ ପ୍ରତ୍ୟାହାର ଦାବିରେ ୨ ମାସ ହେଲା ଚାଲିଥିବା ଆନ୍ଦୋଳନ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁଥିଲା । ଏପରି କି କୃଷି ଆଇନକୁ ଦେଢ଼ ବର୍ଷ ଯାଏଁ, ସ୍ଥଗିତ ରଖିବାକୁ ରାଜି ହୋଇଯାଇଥିଲେ ମୋଦି ସରକାର । ଠିକ୍ ସେତିକି ବେଳେ ଦିଲ୍ଲୀରେ ଯେଉଁ ଘଟଣା ଘଟିଛି, ଯାହା ଚାଷୀ ଆନ୍ଦୋଳନର ଆଭିମୁଖ୍ୟ ଓ ଲକ୍ଷ୍ୟକୁ ନେଇ ପ୍ରଶ୍ନ ଛିଡ଼ା କରିଛି ।