କରୋନା ପାଇଁ ସୀମା ସିଲ୍ । କଟକଣା ଜାରି କଲେ ଗଂଜାମ ସମେତ ଢେଙ୍କାନାଳ, ଜଗତସିଂହପୁର, ମାଲକାନଗିରି ଓ ଅନୁଗୁଳ ଜିଲ୍ଲା ପ୍ରଶାସନ, ଗଂଜାମକୁ ସବୁ ରାସ୍ତା ବନ୍ଦ ।

4,688

କନକ ବ୍ୟୁରୋ : କରୋନା ସଂକ୍ରମଣ ଯେତିକି ବଢି ବଢି ଚାଲିଛି, ଚିନ୍ତା ସେତିକି ଘାରୁଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ଯେତିକି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରୁ । ଏହାକୁ ଦୃଷ୍ଟିରେ ରଖି ଏବେ ଗଞ୍ଜାମ ଜିଲ୍ଲା ଉପରେ ଲଗାମ ଲାଗିଛି । ଅନ୍ୟ କୌଣସି ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ଗାଡି ପ୍ରବେଶ ଉପରେ କଟକଣା ଲାଗିଛି । ସେହିପରି ଜଗତସିଂହପୁର, ମାଲକାନଗିରି, ଅନୁଗୁଳ, ପୁରୀ ଏବଂ ଅନ୍ୟ   କେତେକ ଜିଲ୍ଲା ସେମାନଙ୍କ ସୀମାକୁ ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ ।

ଚିନ୍ତା ବଢାଉଛି ଗଞ୍ଜାମ ଜିଲ୍ଲା । ଶନିବାର ସର୍ବାଧିକ ୨୧୮ ଆକ୍ରାନ୍ତ । ମୋଟ ଆକ୍ରାନ୍ତ-୩ ହଜାର ୬୩, ମୋଟ ମୃତ୍ୟୁ- ୩୬ । ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଲଗାମ ଲାଗିଛି ଗଞ୍ଜାମ ଜିଲ୍ଲା ପାଇଁ । ଅନ୍ୟ କୌଣସି ବାହାର ଜିଲ୍ଲାରୁ ଗଞ୍ଜାମକୁ ଗାଡି ଆସିପାରିବନି କି କୌଣସି ଗାଡି ମଧ୍ୟ ଜିଲ୍ଲାରୁ ବାହାରକୁ ଯାଇପାରିବନି । ୧୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ଏନଏସି, ଗୋଟିଏ ମ୍ୟୁନିସପାଲିଟି, ଗୋଟିଏ ମହାନଗର ନିଗମ ଏବଂ ୫ଟି ବ୍ଲକ ହେଡକ୍ୱାର୍ଟରକୁ ସଟଡାଉନ୍ ଘୋଷଣା କରାଯାଇଛି । ଏସବୁ ଅଂଚଳରେ ୨୦୦ଟି ଡାକ୍ତରୀ ଟିମ୍ ଘର ଘର ବୁଲି ସ୍କ୍ରିନିଂ କରୁଛନ୍ତି । ୧୦୦ମିଟର ଦୂରତାରେ ଗୋଟିଏ ମେଡିସିନ୍ ଦୋକାନ ଖୋଲିପାରିବ । ମେଡିକାଲ ଆଉଟଡୋର ବନ୍ଦ ରହିବ । କଂଟେନମେଂଟ ଜୋନ୍ ଏବଂ ବଫର ଜୋନ୍ ଘୋଷଣା ହୋଇଥିବା ଗାଁ ଗୁଡିକୁ ବାହାର ଅଂଚଳର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି ।

ଖାଲି ଗଞ୍ଜାମ କାହିଁକି, ଜଗତସିଂହପୁର ଜିଲ୍ଲାକୁ ବାହାର ଜିଲ୍ଲା ଲୋକଙ୍କୁ ମନା । କରୋନା ସଂକ୍ରମଣ ଏଡାଇବାକୁ ଏଭଳି ନିଷ୍ପତି ନିଆଯାଇଛି । ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି । ବିଶେଷ କରି କଟକ, ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତିଦିନ ଯାତାୟାତ କରୁଥିବା ଲୋକ ଜଗତସିଂହପୁରକୁ ଯାଇପାରିବେନି ।

କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ୮ଟି ଜିଲ୍ଲାର ଲୋକଙ୍କୁ ଢେଙ୍କାନାଳ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ, ଅନୁଗୁଳର ଲୋକ ଢେଙ୍କାନାଳରେ ପଶିପାରିବେ ନାହିଁ ।

ସେହିପରି ସଂକ୍ରମଣ ନବଢିବା ପାଇଁ ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ମନା । ଏହି କଟକଣା ଜାରି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଗଂଜାମ, କଟକ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ମାଲକାନଗିରି ଜିଲ୍ଲା ଆସିବା ନେଇ କଟକଣା ଜାରି ହୋଇଛି ।

ଅନୁଗୁଳ ଯାଇପାରିବେନି ଗଂଜାମ ଓ ଯାଜପୁର ଜିଲ୍ଲା ବାସିନ୍ଦା । ଅନୁଗୁଳ ଜିଲ୍ଲାରେ ଅଧିକାଂଶ ଆକ୍ରାନ୍ତ ଗଂଜାମ ଓ ଯାଜପୁର ଫେରନ୍ତା ବୋଲି ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି ।

ଏହାବାଦ ପ୍ରବେଶ କଟକଣା ଥିବା ଅନ୍ୟ ଜିଲ୍ଲା ଗୁଡିକ ଉପରେ ନଜର ପକାନ୍ତୁ ।

• ପୁରୀ- ୩୦ ଜିଲ୍ଲାର ଲୋକଙ୍କୁ ପ୍ରବେଶ ମନା
• ଖୋର୍ଦ୍ଧା- ଗଂଜାମ ଲୋକଙ୍କୁ ପ୍ରବେଶ ମନା
• ସୁନ୍ଦରଗଡ଼- ଆସିପାରିବେନି ରାଉରକେଲା ଲୋକ
• ଝାରସୁଗୁଡା- ଗଂଜାମ, କଟକ, ସୁନ୍ଦରଗଡ ଲୋକ ଆସିପାରିବେନି
• ଗଜପତି- ରାୟଗଡା, ଗଂଜାମ, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଲୋକଙ୍କୁ ମନା
• କଟକ- ଗଂଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ୱର ଲୋକ ଆସିପାରିବେନି
• କୋରାପୁଟ-ଗଂଜାମ ଓ ୫ଶହରୁ ଅଧିକ ଆକ୍ରାନ୍ତ ଥିବା ଜିଲ୍ଲାର ଲୋକଙ୍କୁ ମନା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁରରେ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ୍ ଘୋଷଣା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପ୍ରଥମଥର ସାପ୍ତାହିକ ସଟଡାଉନ୍ ହୋଇଛି । ଦୋକାନ, ବଜାର, ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି । ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନା ଅନୁଯାୟୀ ରାଉରକେଲା ସହର ସମେତ କଲୁଙ୍ଗା ଶିଳ୍ପାଂଚଳକୁ ସଟଡାଉନ୍ କରାଯାଇଛି । ଆଜି ଠାରୁ ସମ୍ବଲପୁରରେ ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ୍ ରହିବ ।

ଅନ୍ୟପଟେ କେନ୍ଦୁଝର ବଡବିଲ୍ ମ୍ୟୁନିସିପାଲଟିରେ ସଟଡାଉନ୍ ଅବଧି ୧୩ ତାରିଖରୁ ୨୦ ତାରିଖକୁ ବୃଦ୍ଧି କରାଯାଇଛି । ଜିଲ୍ଲାରେ ମଧ୍ୟ ସାପ୍ତାହିକ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ୍ ଲାଗୁ ହୋଇଛି ।