କନକ ବ୍ୟୁରୋ : ରାତିଅଧିରେ ହସ୍ପିଟାଲ ବୁଲିଲେ ବାଲେଶ୍ୱର ଜିଲ୍ଲାପାଳ । ହସ୍ୱିଟାଲରେ ପାଣି ଆସୁନଥିବା ନେଇ ଫୋନ୍ ପାଇବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲରେ ପହଞ୍ଚିଲେ ଜିଲ୍ଲାପାଳ ଦତତ୍ରୟ ଭାଓସାହେବ ସିନ୍ଦେ । ଆଉ ହସ୍ପିଟାଲ ବୁଲି ସ୍ଥିତି ପରଖିଲେ ।
ଗତ ୪ ଦିନ ହେଲା ହସ୍ପିଟାଲର ପ୍ରସୂତି ବିଭାଗରେ ପାଣି ସମସ୍ୟା ଲାଗିରହିଥିଲା । ଗତକାଲି ରାତିରେ କେହି ଜଣେ ଏନେଇ ଜିଲ୍ଲାପାଳଙ୍କୁ ଫୋନ କରି ଅବଗତ କରାଇଥିଲେ । ଏହା ପରେ ବିଳମ୍ବିତ ରାତିରେ ହଠାତ୍ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ଜିଲ୍ଲାପାଳ । ଏହି ସମୟରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଏବଂ ନର୍ସଙ୍କ ମଧ୍ୟରେ ବଚସା ହେଉଥିଲା । ଜିଲ୍ଲାପାଳ ସେଠାରେ ପହଞ୍ଚି ବିବାଦର ସମାଧାନ କରିଥିଲେ । ଏଥିସହ ରୋଗୀ ଏବଂ ସମ୍ପର୍କୀୟଙ୍କ ସହ ହସ୍ପିଟାଲରେ ମିଳୁଥିବା ବିଭିନ୍ନ ସୁବିଧା ନେଇ ମଧ୍ୟ ଆଲୋଚନା କରିଥିଲେ । ତେବେ ଆଗାମୀ ଦିନରେ ନିୟମିତ ଏଭଳି ଅଚାନକ ହସ୍ପିଟାଲ ପରିଦର୍ଶନରେ ଆସିବେ ବୋଲି କହିଥିଲେ ଜିଲ୍ଲାପାଳ ।