କନକ ବ୍ୟୁରୋ: ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ପୋଲିସ ଏଯାବତ କଣ ତଦନ୍ତ କରିଛି ତାହା ଅସ୍ପଷ୍ଟ ରହିଛି । ଧର୍ମେନ୍ଦ୍ର ସାହୁଙ୍କ ଏକ ଫୋନ୍ କଲ ରେକର୍ଡ ଭାଇରାଲ ହୋଇଛି । ଯେଉଁଥିରେ ମନ୍ତ୍ରୀ ସମୀର ଦାସଙ୍କ ନାମ ରହିଛି । ହେଲେ ପୋଲିସ ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରୁନି ବୋଲି ବିଜେପି ପ୍ରଶ୍ନ କରିଛିି । ତେଣୁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ଆଉ ଆଜି ବିଜେପି ଭୁବନେଶ୍ୱର ଡିସିପି ଅଫିସ ଘେରିଛି । ବିଜେପି ଦାବି କରିଛି ପୋଲିସ ସବୁ ଜାଣିଛି କିନ୍ତୁ ନୀରବ ରହିଛି ।

Advertisment
  • ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ପୋଲିସକୁ ଘେରିଲା ବିଜେପି
  • ‘ମନ୍ତ୍ରୀଙ୍କୁ କାହିଁକି କରାଯାଉନି ତଦନ୍ତ ପରିସରଭୁକ୍ତ?’

ଭୁବନେଶ୍ୱର ଡିସିପି ଅଫିସ ଆଗରେ ବିଜେପି କର୍ମୀ । ବିଜେଡିର ପୁରୀ ୧୧ ନମ୍ବର ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ପୋଲିସ ତଦନ୍ତରେ ଅବହେଳା କରୁଥିବା ଅଭିଯୋଗ ଆଣି ଡିସିପି ଅଫିସ ଘେରିଛି ବିଜେପି । ଆଉ ଡିସିପିଙ୍କୁ ଭେଟି ଭାଇରାଲ ଅଡିଓ କଲ ବାବଦରେ ଅବଗତ କରାଇଛି । ଯଦି ତଦନ୍ତ ଠିକ୍ ଭାବେ ନହେବ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ବିଜେପି କହିଛି । ଭାଇରାଲ ହୋଇଥିବା ଅଡିଓ କଲରେ ଧର୍ମେନ୍ଦ୍ର ଅନେକ ବ୍ୟକ୍ତିଙ୍କ ନାଁ ନେଇଛନ୍ତି । ଯେଉଁଥିରେ ବିଜେଡି ନେତା ତଥା ମନ୍ତ୍ରୀ ସମୀର ଦାଶଙ୍କ ନାମ ମଧ୍ୟ ରହିଛି । ହେଲେ ପୋଲିସ କାହିଁକି ମନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ବୋଲି ବିଜେପି ପ୍ରଶ୍ନ କରିଛି । ସେପଟ ମନ୍ତ୍ରୀ କହିଛନ୍ତି, ମୃତକଙ୍କ ପରିବାର ଲୋକେ ସିଧାସଳଖ କୌଣସି ଅଭିଯୋଗ ଆଣିନାହାନ୍ତି । ତେଣୁ ଏ ସଂପର୍କରେ ସେ କୌଣସି ପ୍ରତିକ୍ରିୟା ରଖିବେ ନାହିଁ ବୋଲି କହିଛନ୍ତି ।

ସେପଟେ ମୃତ ବିଜେଡି ନେତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡା । ଆଉ ଘଟଣା ବାବଦରେ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି । ହେଲେ ପୋଲିସ ନିରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀଙ୍କ ସହଯୋଗୀ ବିନ୍ଦାସ ଚିନୁଙ୍କୁ ପୋଲିସ ଜେରା କଲେ ଆତ୍ମହତ୍ୟା ଘଟଣାର ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ଏହି ମାମଲାରେ ଏସଆଇଟି ତଦନ୍ତ ଦାବି କରିଥିଲା । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ମାମଲାରେ ପୋଲିସ ଭୁବନେଶ୍ୱରଠାରୁ ଗୋପ ଯାଏ ତଦନ୍ତ କରିଛି । କିନ୍ତୁ ପୋଲିସର ନିରବତା ଏହି ଘଟଣାକୁ ଆହୁରି ରହସ୍ୟମୟ କରିଛି ।