କରୋନା କାଳରେ ଛତିଶଗଡରୁ ଆସିଲା ଭାଇରାଲ ଭିଡିଓ । ଯୁବକଙ୍କୁ ବିଚ୍ ରାସ୍ତାରେ ଚାପୁଡା ମାରିଲେ ଜିଲ୍ଲାପାଳ । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

193

କନକ ବ୍ୟୁରୋ: ରାସ୍ତା ଉପରେ କରୋନା କଟକଣା ଯାଂଚ କରୁଥିଲେ ଜିଲ୍ଲାପାଳ । ଏତିକି ବେଳେ ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଅଟକାଇ ନିଜେ ବି ତାଗିଦ୍ କରୁଥିଲେ । ହେଲେ ଘଟଣା ସେତେବେଳେ ସୀମା ଟପି ଯାଇଥିଲା, ଯେତେବେଳେ ଜିଲ୍ଲାପାଳ ଜଣେ ପିଲାଙ୍କୁ ଡାକି ମାଡ ମାରିବା ସହ ତାର ମୋବାଇଲ ଫିଙ୍ଗି ଦେଇଥିଲେ । ଏହି ଘଟଣା ଘଟିଛି ଛତିଶଗଡରେ । କଲେକ୍ଟରଙ୍କ ମାଡ ମାରିବାର ଭିଡିଓ କରୋନା କାଳରେ ଭାଇରାଲ ହେବା ପରେ , ଛତିଶଗଡ ମୁଖ୍ୟମନ୍ତ୍ରୀ କଲେକ୍ଟରଙ୍କୁ ପଦବୀରୁ ହଟେଇ କରିଛନ୍ତି ।

ବିଚ୍ ରାସ୍ତାରେ କରୋନା କଟକଣା ପାଳନ ନେଇ ଚେକିଂ କରୁଥିବା ସମୟରେ ଯୁବକଙ୍କୁ ଚାପୁଡ଼ା ମାରିବା ଜଣେ ଜିଲ୍ଲାପାଳଙ୍କୁ ମହଙ୍ଗା ପଡିଛି। ଛତିଶଗଡ଼ ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମା ନିଜ କ୍ଷମତାର ଅପବ୍ୟବହାର କରି ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ଓ ତାଙ୍କ ମୋବାଇଲ ଫୋପାଡ଼ି ଭାଙ୍ଗି ଦେବା ଘଟଣା ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହି ଘଟଣା ଛଡିଶଗଡରେ ଘଟିଥିଲେ ମଧ୍ୟ କରୋନା କାଳରେ ସାରା ଦେଶରେ ଏହାକୁ ନେଇ ପ୍ରତିକ୍ରିୟା ଆସୁଛି । ଅଭିଯୋଗ ପାଇବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଘଟଣାକୁ ଦୁଃଖଦ ଓ ନିନ୍ଦନୀୟ ବୋଲି କହିବା ସହ ରଣବୀର ଶର୍ମାଙ୍କୁ ଜିଲ୍ଲାପାଳ ପଦବୀରୁ ହଠାଇଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ଛତିଶଗଡ ସରକାରଙ୍କୁ ଘେରିଛନ୍ତି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଟ୍ୱିଟ କରି ଲେଖିଛନ୍ତି, ସୁରଜପୁର ଜିଲ୍ଲାପାଳ ଜଣେ ଯୁବକଙ୍କ ସହ ଦୁର୍ବ୍ୟବହାର କରୁଥିବା ମାମଲା ସୋସିଆଲ ମିଡ଼ିଆ ମାଧ୍ୟମରେ ସାମ୍ନାକୁ ଆସିଛି । ଏହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ଘଟଣା । ଛତିଶଗଡ଼ରେ ଏପରି କୌଣସି କାର୍ଯ୍ୟ କରିବା ଗ୍ରହଣୀୟ ନୁହେଁ । ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ତୁରନ୍ତ ହଟାଇବାକୁ ନିର୍ଦେଶ ଦିଆଯାଇଛି । ଯୁବକ ଓ ତାଙ୍କ ପରିବାର ସହ ଘଟିଥିବା ଏହି ଘଟଣା ପାଇଁ ମୁଁ ଦୁଃଖିତ ।

ସେପଟେ ଏହି ଘଟଣା ନେଇ ଆଇଏଏସ ଆସୋସିଏସନ ମଧ୍ୟ ଟ୍ୱିଟ କରି ଘଟଣାର ନିନ୍ଦା କରିଛି। ଜଣେ ଜିଲ୍ଲାପାଳଙ୍କ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି କହିଛି ଆଇଏଏସ ସଂଘ। ଯୁବକ ଜଣକ ନିଜ କୋଭିଡ଼ ସଂକ୍ରମିତ ମା ପାଇଁ ଔଷଧ କିଣିବାକୁ ଯାଉଥିବା କହିଥିଲେ। ତେବେ ତାଙ୍କ ନିକଟରେ ଉପଯୁକ୍ତ କାଗଜପତ୍ର ନଥିବା କହିଛନ୍ତି ଜିଲ୍ଲାପାଳ। ଏହା ସହିତ ଏପରି ଘଟଣା ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଛତିଶଗଡ ସୁରଜପୁରର କଲେକ୍ଟର ଚାପୁଡା ମାରୁଥିବାର ଭିଡିଓ ଏବେ ସାରା ଦେଶରେ ଭାଇରାଲ ହେବାରେ ଲାଗିଛି । କରୋନାର କଠୋର ସମୟରେ ଜଣେ ଦାୟିତ୍ୱବାନ ଅଧିକାରୀଙ୍କ ଠାରୁ କୌଣସି ଜନସାଧାରଣ କେବେ ବି ଏହା ଆଶା କରିବେନି । ଯୁବକ ଜଣକର କୌଣସି କଥା ନଶୁଣି ତାଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ପଦରୁ ହଟେଇ ଦିଆଯାଇଛି ।